ଶ୍ରାବଣୀର ଅଭିମାନ
ଶ୍ରାବଣୀର ଅଭିମାନ
ଆଷାଢ଼ର ଅସରାଏ ବର୍ଷା
ତୁମ ପାହାଚକୁ ଚୁମି ଦେଲା ପରେ
ତୁମେ ଶ୍ରାବଣୀକୁ ପଚାରିବ କିଆଁ
ଭକ୍ତଙ୍କର ସମାବେଶ ଭିଡ
ତୁମ ବଡ ଦାଣ୍ଡେ ଲାଗିଗଲା ପରେ
ଦେବଦାସୀ ତୁମ ଅଜଣା ଅଶୁଣା
ନୀଳଚକ୍ର ଫର ଫର ବାନା
ଶ୍ରୀ ମନ୍ଦିରେ ତୁମ ଉଡ଼ିଗଲା ପରେ
ତୁମେ ପରା କେତେ ନୀରବ ନିଶ୍ଚଳ
ନୀରବରେ ଲୁଚି ଲୁଚି କାନ୍ଦ
ଅଜାଣତେ ନିଜେ ମଉନେ ଗୋପନେ
ମାପିପାରେ ତୁମ ନୟନର ଜଳ
ଚନ୍ଦ୍ର ସୂର୍ଯ୍ୟ ଆକାଶ ସାଗର
ସଭିଙ୍କର ତୁମେ ସମ୍ପୂର୍ଣ୍ଣ ସଙ୍ଗମ
ଅବିରତ ତୁମେ ଅକ୍ଷର ଭାସ୍ୱର
ତୁମ ସେଇ ଦିବ୍ୟ ଦୃଷ୍ଟି ନେଇ
ଅର୍ପିଥାଅ ତୁମେ ସୁରକ୍ଷା କବଚ
ସକଳଙ୍କ ପାଇଁ ସୁଖ ନିରନ୍ତର
ସାଗରକୁ ଘୂର୍ଣ୍ଣି ଘାରିଦେଲେ
ଘର୍ଘର ଧ୍ୱନିରେ କମ୍ପେ ତା'ର ବେଳା
ତୁମେ ପୁଣି ତାକୁ ସ୍ଥିତପ୍ରଜ୍ଞ କର
ଚନ୍ଦ୍ରମାକୁ ଗ୍ରହଣ ଗ୍ରାସିଲେ
ତୁମରି ନିର୍ଦ୍ଦେଶେ,ଆଶ୍ୱାସନା ଦେଇ
ଚନ୍ଦ୍ରମାକୁ ତୁମେ ଗ୍ରାହରୁ ଉଦ୍ଧାର
ଆହେ ପ୍ରଭୁ,ବିଧାନ କରତା
ବିଶ୍ୱ ପାଇଁ ତୁମେ ବିଶ୍ୱାସ ପ୍ରତୀକ
ଶାନ୍ତି,ମୈତ୍ରୀ,ପ୍ରୀତି ତୁମ ଅଙ୍ଗୀକାର
ଉଚ୍ଚ,ନୀଚ,ବର୍ଣ୍ଣ ଅଭେଦରେ
ଗଢିଦିଅ ଏକ ନୂତନ ସଂସାର
ପୁଣ୍ୟପ୍ରାଣା ମନ ନେଇ ମଣିଷର
ଅଭିମାନେ ଅଭିମାନୀ ହୋଇ
ଗାଇଗଲି ତୁମ ହୃଦୟର ଆଗେ
ନିଜପାଇଁ ନୁହେଁ, ଦୁନିଆର ପାଇଁ
ପରମ୍ପରା ଭିତରେ ଭିତରେ
ରଖିଦିଅ ହାତ ମଥାରେ ମଥାରେ
ଦୁଃଖୀଙ୍କର ଦୁଃଖ ଜାତକରୁ ଧୋଇ
ଶ୍ରାବଣୀର ଅଭିମାନ ନେଇ
ଋତୁ ଆଷାଢ଼କୁ ଈର୍ଷା କଲି ସିନା
ଆମେ ଦୁହେଁ ପରା ତୁମରି ଭକତ
ଭକତିର ଅଶ୍ରୁ ଜଳ ଢାଳି
ତୁମ ଚରଣରେ ଶ୍ରଦ୍ଧାର ଅଞ୍ଜଳି
ଅର୍ପିଦେଇ ହେଲି ସ୍ୱୟଂ ସମର୍ପିତ
