ଶ୍ରାବଣୀ ଆଖିରେ ଲୁହ
ଶ୍ରାବଣୀ ଆଖିରେ ଲୁହ
ସୁନ୍ଦର ନାଲି ଓଠେ ଫୁଟାଇବାକୁ ଚେନାଏ ହସ
ଆକାଶର ଛାତି ଚିରି ବର୍ଷୁଥିଲା ଶ୍ରାବଣ
ହୃଦୟରୁ ତାର ଝରାଉଥିଲା ପ୍ରୀତିର ମଧୁଝର
ମନେ ପ୍ରାଣେ ଗଭୀର ଭାବେ ଭଲ ପାଇ
କେଉଁ କାଳରୁ ବସୁଧା ସାଥେ ଗଢିଛି ସଂପର୍କ
ପ୍ରିୟ ହେଲେ ଶ୍ରାବଣ ପ୍ରିୟା ତାର ଶ୍ରାବଣୀ
ମିଳନରେ ତାଙ୍କର ବାଜି ଉଠେ ଶୁଭ ଶଙ୍ଖ
ନାଚି ଯାଏ ଆନନ୍ଦର ଲହରୀ ସାରା ମୂଲକ
ଶୋଭା ଶିରୀରେ ସବୁଜିମାର ସୁଷମା ଭରି
ପରୀଟିଏ ପରି ପ୍ରକୃତିରାଣୀ ନବରୂପେ
ବସୁଧା ମାଆର କୋଳେ ନେଉଥିଲା ପୁନର୍ଜନ୍ମ
ଶ୍ରାବଣ ଶ୍ରାବଣୀ ନିବିଡ଼ ପ୍ରେମରେ ରହି ମଗ୍ନ
ଭରି ଦେଉଥିଲେ ଭବେ ଐଶ୍ବର୍ଯ୍ୟ ପ୍ରାଚୁର୍ଯ୍ୟ
ତ୍ୟାଗ ତିତିକ୍ଷାର ସମର୍ପଣେ କରିବାକୁ ମଙ୍ଗଳ
ଜଗତେ ଜନ ଜୀବନ ନାଚୁଥିଲେ ଉଲ୍ଲସିତେ
କିନ୍ତୁ ହାୟ ! ଆଜି ଶ୍ରାବଣୀ ଆଖିରେ ଲୁହ
ବେଦନା ଭରା ଛାତିରେ ତାର ଅସରନ୍ତି କୋହ
ଅଭାବ ଦୂରେଇ ଦେବାକୁ ଜୀବନ ସଜାଡି଼
ଦେଉଥିଲା ଅସରା ଅସରା ବରଷା ଅଜାଡି଼
ହସୁଥିଲା କ୍ଷେତ ଖମା ବହୁଥିଲା ନଦ ନଦୀ
ଜହ୍ନର ଜୋଛନା ଖେଳୁ ଥିଲା ଲୁଚକାଳି
ଆକାଶର ଘନ କଳା ଧଳା ବାଦଲର ସାଥେ
ସବୁ ହୁଏ ସ୍ଵପ୍ନମୟ ଆଶାର ଖାଲି ପ୍ରହେଳିକା
ନାହିଁ ଶ୍ରାବଣର ସେ ପ୍ରେମମଧୁ ମୂଷଳଧାରା
ବସୁଧାକୁ କରେ ଉପେକ୍ଷାରେ ପ୍ରତାରିତ
ଅଧରର ହସ ଫୁଲ ଯାଏ ଝାଉଁଳି ମଉଳି
ଶୂନ୍ୟତାର ଲହ ଲହ ଜିହ୍ଵା ହୁଏ ପ୍ରାସାରିତ
ଜଳ ବହୁଳେ ଜଳ ବିହୁନେ ଗ୍ରାସେ ଧରା
ଚିନ୍ତାରେ ହତ ହୁଅନ୍ତି ଜଗତେ ପ୍ରାଣୀ କୁଳ
କାଳର କରାଳଛାୟା ଢାଙ୍କି ଦିଏ ରୁଗ୍ଣ ଦେହ
ଅସହାୟତାରେ ଝରେ ଶ୍ରାବଣୀ ଆଖିରେ ଲୁହ।