ଶ୍ରାବଣେ ମୌସୁମୀ ହଜିଛି
ଶ୍ରାବଣେ ମୌସୁମୀ ହଜିଛି
ତୁମେକି ବୁଝିବ ଚାଷୀ ହୃଦୟର ଅପତ୍ୟ ସ୍ନେହ
ରକତ କୁ ପାଣି କରି ଖଟେ ଦିବସ ନିଶି,
ସଂସାରର ଭୋକ ତା ପାସେ ମିଳି;
ନତଶିରେ ଆଣ୍ଠୁ ପକାଇ ଭୂଇଁରେ
ମାଗୁଛି ଦିଅ ମୋ ଖାଦ୍ୟ ଦିଅ
ସାଂସାର ଯାଉଛି ଉଜୁଡି ।
ଚାଷୀ କୁଳ ଆଜି ହତାଶ ଉତ୍ପାଦନ ହୁଏ ନାହିଁ
ପରିବର୍ତ୍ତିତ ସମୟ ତାଳେ ପ୍ରକୃତି ଚାଲେ
ବଢି ମାଡି ଆସେ ସପନ ଭାସେ;
ସୂର୍ଯ୍ୟ ନିଦାଘରେ ମରୁଡି ପରଶେ
ଜଳିଉଠେ ଭାସେ ବନ୍ୟା କାହିଁ
କୃଷକ ବସିଛି ବିରଷେ ।
ଆଗେ ଦେଖିଥିଲି ଶ୍ରାବଣ ମାସର କେଦାର ଶୋଭା
ଧାନଗଛ ମୂଳେ ଖେଳୁଥିଲେ ମୀନ,ଗଡିଶା
ବିଲି କଙ୍କଡା କୁ ଖାଏ ବିଲୁଆ;
ଜିଆ ଗେଣ୍ଡା କୁଜି ଶାମୁକା ବଳାକା
ଖାଇ ଉଡେ ଯେବେ ଶୂନ୍ୟେ ଆଭା
ଗରଡା ମାଳିର ଭଳିଆ ।
ଦେଖିଥିଲି ଧାରା ଶ୍ରାବଣ ବରଷା କଦମ୍ଵ ଫୁଲ
ଦେଖିଛି କୃଷକ ତଲାରି,ପଖିଆ ମୁଣ୍ଡରେ
ବର୍ଷାକୁ ନଡରି କେଦାରେ ତାର;
ଧାନ ବଛା ଖେଳା ରୁଆରୋଇ ସାରେ
ନୀଳ ପରୀ ଶୋଭା ଦୃଶ୍ୟ ତୁଲ
ମାଟି ମାଆ ତଥା ଅମ୍ଵର ।
ବରଷା ଗାଧୁଆ ମାଟି ପରେ ଚାଲେ ସାଧବ ବୋହୁ
ଡାଆଣିଆ ଖରା ପ୍ରତି ଫଳନେ ଇନ୍ଦ୍ରଧନୁ
ତୋରଣ ଟାଣିଛି ଆକାଶ ଦେଶେ;
ସାରୁ ପତ୍ର ଛତ୍ର ତଳେ ବାହାଘର
ଭେକ ଗର୍ଜନ ଆଲୋକ ବିଞ୍ଚେ
ସଞ୍ଜରେ ଖଦ୍ଵୋତ ଉଲ୍ଲାସେ ।
ଶ୍ରୀହୀନ ବିଦୀର୍ଣ୍ଣ ବିଷର୍ଣ୍ଣ କୃଷକ ହୃଦୟ କୋହ
ସହି ହେଉନି ରୁଦ୍ର ବୀଣାର ବିକଳ ରୋଳ
ଭୁଲଇ ନିଜର ଅପତ୍ୟ ସ୍ନେହ;
ଶ୍ରାବଣେ ବରଷା ମୌସୁମୀ ହଜିଛି
ହଜାଇ ଦେଉଛି ସ୍ଵପ୍ନ ତାର
ଭାଙ୍ଗି ଅଛି କୃଷକ ମୋହ ।
ଇତସ୍ଥତ ଭୋକ ବିକଳ ଜନତା ହୋଇବେ ମେଳା
କାହୁଁ ଦେବ ଆଣି ଆହାର ଭାଵଇ ଆତୁରେ
ଶ୍ରାବଣେ ନିଦାଘ ବତୁରା ରାତି;
ଧୋଇ ନେଇଗଲା ଉତ୍ତର ଭାଗରେ
ପୂର୍ବ ପଶ୍ଚିମେ ମରୁଡି ଜ୍ଵାଳା
ଭରଣା କରିବ କେମିତି ।
ତୁମେ କି ବୁଝିବ କୃଷକ ଅନ୍ତର ତଳର ଦୁଃଖ
ତୁମେ କି ବୁଝିବ କୃଷକ ତତଲା ରକତ
ଶ୍ରାବଣେ ଶୀତଳ ଲୁହର ଝରେ,
ଶିକ୍ତ ହୁଏ ଭିନ୍ନ ଆଜିର ଶ୍ରାବଣ
ମଣିଷ ଖାଏ ମଣିଷ ମାଂସ
ଯାହା ଦେଖଇ ମୁଁ ନେତ୍ରରେ ।