ଶ୍ରାବଣ ଗର୍ଜିଲେ
ଶ୍ରାବଣ ଗର୍ଜିଲେ
ତୁମ ଗାଁ ଉପକଣ୍ଠ ନାଲି ଗୋଡ଼ି ରାସ୍ତା
ଢମଣା ସାପ ଦୌଡିବା ପରି
କେତେ ଅଙ୍କା ବଙ୍ଗା
ଶ୍ରାବଣ ଗର୍ଜିଲେ ମନେପଡ଼େ
ସେହି ଚାଇଁ ଚରକା
ଠାଏ ଠାଏ ଅଟକି ଥିବା
ବର୍ଷା ପାଣି ଚଉକା
ନାଲି ରଙ୍ଗର ପାଣି କାଦୁଅ ଛାଟ
ଚପଲ ଫଟ୍ ଫଟ୍ ଉଠାଇ
ଟିଉସନ୍ ଫେରୁ ଫେରୁ
କେତେ ମସ୍ତି କେତେ ବିଭ୍ରାଟ
ସେଇ ପଥେ ଧାଇଁ ଆସେ ସ୍ମୃତି ଚିରନ୍ତନୀ
ମୂହୁର୍ମୁହୁ ନିର୍ଲିପ୍ତ ମହକ
ମର୍ମାହତ ମନ ମୋର ଖୋଜିବୁଲେ
ପାଇବାକୁ ଥରୁଟେ ଝଲକ
ଆଉ ଛାତିଏ ଫୁଲକ
ବାଟ ହୁଡିବାକୁ ଇଚ୍ଛା ହୁଏ ପୁଣି ଥରେ
ଫେରିବାକୁ ମନ କହେ
ଭିଜିବାକୁ ଶ୍ରାବଣର ସ୍କୁଲ ଫେରନ୍ତା ବର୍ଷାରେ
ଝୁଲାକୁ ମୁଣ୍ଡେଇ ଦୌଡ
ଗଛମୂଳେ ଟିକେ ଠିଆ ହୋଇ
ସର୍ ସର୍ ବହୁଥିବା ପାଣିକୁ ପୋଛି
ଅନ୍ୟ ସାଙ୍ଗକୁ ତର୍ଜନୀ ଦେଖେଇ
ପୁଣି ଚିଲ୍ଲେଇ କିଳିକିଳେଇ ଦୌଡ
ପଡିଲେ ବରକୋଳିଆ ଝପା
ପତ୍ର ଫଟେଇ ଫଡ଼ ଫଡ଼
ନିଘା ନ ଥାଏ ପଛ ପଟ ଡ୍ରେସର ଅବସ୍ଥା
କୁମୁଟି ଯାଏ ନାଲି ଚନ୍ଦନ ଟିପା ପରି
ସୁନ୍ଦର ବ୍ୟବସ୍ଥା
ବୋଉର ମଧୁର ଭତ୍ସନା
ଗାମୁଛାରେ ମୁଣ୍ଡ ପୋଛୁ ଯୋଛୁ
ନାହିଁ ନ ଥିବା ଝିଙ୍କା ଝିଙ୍କି କୁତ୍ସା ରଟନା
ଖୋଜୁଛି ଏ ପ୍ରାଣ ସେହି ମଧୁର ମୁହୁର୍ତ୍ତ
ଶ୍ରାବଣ ଆସୁଛି ଫି ବର୍ଷ
ଆମ ବାରି ନଡ଼ିଆ ଗଛ ବାହୁଙ୍ଗାରୁ
ଝରୁଛି ଟୁପୁର୍ ଟାପୁର୍
ବାରି ଧାରା ଉତ୍କର୍ଷ
ତୁମ ଗାଁର ସେହି ନାଲି ଗୋଡ଼ି ରାସ୍ତାର ମହକ
ନାଲି ଚନ୍ଦନ ପଛ ଡ୍ରେସ୍ ପଟେ ବନ୍ଦନ ଚମକ
ଆଜି ବି ଭାବୁକ କରାଏ
ଆଜି ବି ପ୍ରେମିକ ବନାଏ
ଜାଣିଛି ଫେରିବନି ଆଉ ଥରେ
ବୁଝିଛି ସେ ସ୍ୱର୍ଣ୍ଣିମ କ୍ଷଣ
କଡ଼ ଲେଉଟିବ କି ଆଉ ଫେରେ
ମନ ଦର୍ପଣରେ
ସ୍ମୃତି ସିନ୍ଦୁକରେ ସାଇତା ଥାଉ
ମହକୁ ଭୁରୁ ଭୁରୁ
ଫି ବର୍ଷ ଅନୁକ୍ଷଣ
ରହିଲା ରାଣ
ହାଏ ରେ ଶ୍ରାବଣ
ପ୍ରତିବର୍ଷ ଆସିବୁ ଧରାଧାମେ
କରିବୁ ବର୍ଷଣ
ମନେ ପକଉଥିବ
ଏ ଗରିବ ପ୍ରେମିକ ଅକିଞ୍ଚନ
କ୍ଷଣେ ଘଡିଏ ଭାବିବ
ଏ ଦୀନ ହୀନ ପଞ୍ଚାନନ
ଶ୍ରାବଣ ତୁ କିନ୍ତୁ ଭୁଲିବୁ ନାହିଁ
ମୋ ପ୍ରୀୟା ର ଗାଁ
ନାଲି ଗୁଡି ରାସ୍ତା ଉପରେ
ବାର୍ଷିକ ଦିବସ ପରି
ରିମ୍ ଝିମ୍ ବର୍ଷା କରିବୁ ଘନ ଘନ ।
