STORYMIRROR

Panchanan Jena

Fantasy

3  

Panchanan Jena

Fantasy

ଶ୍ରାବଣ ଗର୍ଜିଲେ

ଶ୍ରାବଣ ଗର୍ଜିଲେ

1 min
13


ତୁମ ଗାଁ ଉପକଣ୍ଠ ନାଲି ଗୋଡ଼ି ରାସ୍ତା

ଢମଣା ସାପ ଦୌଡିବା ପରି

କେତେ ଅଙ୍କା ବଙ୍ଗା

ଶ୍ରାବଣ ଗର୍ଜିଲେ ମନେପଡ଼େ

ସେହି ଚାଇଁ ଚରକା 

ଠାଏ ଠାଏ ଅଟକି ଥିବା

 ବର୍ଷା ପାଣି ଚଉକା


ନାଲି ରଙ୍ଗର ପାଣି କାଦୁଅ ଛାଟ

ଚପଲ ଫଟ୍ ଫଟ୍ ଉଠାଇ

 ଟିଉସନ୍‌ ଫେରୁ ଫେରୁ 

କେତେ ମସ୍ତି କେତେ ବିଭ୍ରାଟ


ସେଇ ପଥେ ଧାଇଁ ଆସେ ସ୍ମୃତି ଚିରନ୍ତନୀ

ମୂହୁର୍ମୁହୁ ନିର୍ଲିପ୍ତ ମହକ

ମର୍ମାହତ ମନ ମୋର ଖୋଜିବୁଲେ

ପାଇବାକୁ ଥରୁଟେ ଝଲକ

ଆଉ ଛାତିଏ ଫୁଲକ


ବାଟ ହୁଡିବାକୁ ଇଚ୍ଛା ହୁଏ ପୁଣି ଥରେ 

ଫେରିବାକୁ ମନ କହେ

ଭିଜିବାକୁ ଶ୍ରାବଣର ସ୍କୁଲ ଫେରନ୍ତା ବର୍ଷାରେ

ଝୁଲାକୁ ମୁଣ୍ଡେଇ ଦୌଡ

ଗଛମୂଳେ ଟିକେ ଠିଆ ହୋଇ

ସର୍ ସର୍ ବହୁଥିବା ପାଣିକୁ ପୋଛି

ଅନ୍ୟ ସାଙ୍ଗକୁ ତର୍ଜନୀ ଦେଖେଇ

ପୁଣି ଚିଲ୍ଲେଇ କିଳିକିଳେଇ ଦୌଡ

ପଡିଲେ ବରକୋଳିଆ ଝପା

 ପତ୍ର ଫଟେଇ ଫଡ଼ ଫଡ଼


ନିଘା ନ ଥାଏ ପଛ ପଟ ଡ୍ରେସର ଅବସ୍ଥା

କୁମୁଟି ଯାଏ ନାଲି ଚନ୍ଦନ ଟିପା ପରି

ସୁନ୍ଦର ବ୍ୟବସ୍ଥା

ବୋଉର ମଧୁର ଭତ୍ସନା 

ଗାମୁଛାରେ ମୁଣ୍ଡ ପୋଛୁ ଯୋଛୁ

ନାହିଁ ନ ଥିବା ଝିଙ୍କା ଝିଙ୍କି କୁତ୍ସା ରଟନା


ଖୋଜୁଛି ଏ ପ୍ରାଣ ସେହି ମଧୁର ମୁହୁର୍ତ୍ତ

ଶ୍ରାବଣ ଆସୁଛି ଫି ବର୍ଷ

ଆମ ବାରି ନଡ଼ିଆ ଗଛ ବାହୁଙ୍ଗାରୁ

ଝରୁଛି ଟୁପୁର୍ ଟାପୁର୍ 

ବାରି ଧାରା ଉତ୍କର୍ଷ


ତୁମ ଗାଁର ସେହି ନାଲି ଗୋଡ଼ି ରାସ୍ତାର ମହକ

ନାଲି ଚନ୍ଦନ ପଛ ଡ୍ରେସ୍ ପଟେ ବନ୍ଦନ ଚମକ

ଆଜି ବି ଭାବୁକ କରାଏ

ଆଜି ବି ପ୍ରେମିକ ବନାଏ


ଜାଣିଛି ଫେରିବନି ଆଉ ଥରେ

ବୁଝିଛି ସେ ସ୍ୱର୍ଣ୍ଣିମ କ୍ଷଣ 

କଡ଼ ଲେଉଟିବ କି ଆଉ ଫେରେ

ମନ ଦର୍ପଣରେ 

ସ୍ମୃତି ସିନ୍ଦୁକରେ ସାଇତା ଥାଉ

ମହକୁ ଭୁରୁ ଭୁରୁ 

ଫି ବର୍ଷ ଅନୁକ୍ଷଣ


ରହିଲା ରାଣ 

ହାଏ ରେ ଶ୍ରାବଣ 

ପ୍ରତିବର୍ଷ ଆସିବୁ ଧରାଧାମେ

 କରିବୁ ବର୍ଷଣ

ମନେ ପକଉଥିବ 

ଏ ଗରିବ ପ୍ରେମିକ ଅକିଞ୍ଚନ

କ୍ଷଣେ ଘଡିଏ ଭାବିବ 

ଏ ଦୀନ ହୀନ ପଞ୍ଚାନନ


ଶ୍ରାବଣ ତୁ କିନ୍ତୁ ଭୁଲିବୁ ନାହିଁ

ମୋ ପ୍ରୀୟା ର ଗାଁ

ନାଲି ଗୁଡି ରାସ୍ତା ଉପରେ

ବାର୍ଷିକ ଦିବସ ପରି

ରିମ୍ ଝିମ୍ ବର୍ଷା କରିବୁ ଘନ ଘନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy