ସହର
ସହର
ଏଠି ସମସ୍ତେ ଜୀଁ ବାକୁ ଚାହାଁନ୍ତି
ହେଲେ ଡରନ୍ତି
ହସିବାକୁ, ମିଶିବାକୁ
ବସିବାକୁ ଏକାଠି ପାଖାପାଖି
ବାଣ୍ଟିଦବାକୁ ହୃଦୟ
ମନ ଖୋଲି ବିଶ୍ବାସର ମଞ୍ଜି
ବୁଣିବାକୁ ।
ଏଠି ବି ସକାଳ ହୁଏ
ସଂଜ ନଏଁ, ଦୀପାଳି କିନ୍ତୁ ଦିକଦିକ ଜଳେ
ଲୁଚିିଛପି,
କଂକ୍ରିଟ୍ ପଛ ପାଚେରୀରେ ।।
ରାତି ସାରା ଦରୱାନ ଜଗେ
ପେଟ୍ରୋଲିଂ କରୁଥିବା ସାଇରନ୍ ଶୁଭେ,
ଲହରେଇ କୁକୁର କାନ୍ଦେ
ସାରାରାତି ନିସ୍ତବ୍ଧ ସହର ଶୁଏ ନିଘୋଡ଼
ନିଧଡକ ଛାତିରେ ଛେପ ପକେଇ,
ଭୋରରୁ ଆୟତାକାର ।
କଅଁଳ ଖରା ପଡିବା ଯାଏ କିନ୍ତୁ ,
ଛେଉଣ୍ଡ ଛିଣ୍ଡା ଚପଲରୁ ପଟେ,
ପାଲଟା ଲୁଗାରୁ ବୁଜୁଳାଏ
କୃଷ୍ଣଚୂଡା କି ଅଜଣା ଗଛଟି ମୂଳେ
ଫୁଟପାଥରେ ବେରଙ୍ଗ,
ଗଦେଇ ହେଇଥିବାର ଦିଶେ ।
କାହିଁକି? କାହାର?କୋଉଠୁ ଆସେ ଆଉ କେମିତି?
ପ୍ରଶ୍ନ ସବୁର ଉତ୍ତର କେହି ଖୋଜନ୍ତିନି ।
ଚକ ଗଡୁଥାଏ ।।
ଅଣଦେଖା କରି ଆଡେଇ ଯାନ୍ତି ଅନ୍ଧାରର ଅନ୍ଧ ପୁଟୁଳୀ ବାନ୍ଧି ଦିନଅଧ ଯାଏ,
ଅନ୍ତସ୍ବର କୁ ଚପାଇ ଦେବା ତ ଥାଏ ସହରର ସ୍ନାୟୁରେ ।
ବୁଝେନା ଏ ସବୁ ମୋତେ କିଆଁ ବିଦାରେ
ଯେତେବେଳେ ମୁଣ୍ଡ ଖେଳାଅନା ଭଳି ଭଦ୍ର ଉତ୍ତର
ପବନରେ ପହଁରେ ।
ପ୍ରତି ସକାଳୁ କିନ୍ତୁ ମେହେନ୍ତର ଓଳେଇ ନିଏ ବେଲଚା ଲଗେଇ ।
କେଜାଣି କେମିତି ପୁଣି ଆଠ ପନ୍ଦର ଦିନେ
ଲୋଚା ଲୁଗା ଟେ ଲୋଟୁଥାଏ ମଝି ଦାଣ୍ଡରେ ?
ଟ୍ରକ୍ ଚଢିଯାଇଥିବା କୁକୁରର ମେଲା
ବିକ୍ଷିପ୍ତ ଅନ୍ତବୁଜୁଳି ପରି ,
ମୁଁ ପୁଣି ଅଣ୍ଡାଳି ହୁଏ
ବୁଲାକୁକୁରର କଣ କିଏ ନିଜର ଥାଏ ?
