ସହର ତଳର ଜୀବନ
ସହର ତଳର ଜୀବନ
ନିପଟ ମଫସଲିଆ ଟେ ମୁଁ
ପଖାଳ ଭାତକୁ ଚାକୁ ଚାକୁ କରି ଖାଇଲା ବେଳେ
ଆଖି ଢଳି ଯାଇନି ତୁମ ସୁ ସ୍ଵାଦୁ ଖାଇବା ପ୍ରତି,
ହେଲେ ଗାଉଁଲି ମାନେ କିପରି ଚଳନ୍ତି କୌତୁହଳରେ
ମୋ ଦୁଆରେ ଭିଡ ଲାଗେ
ବର୍ଷା, ଖରା, ଶୀତ ଅନୁଭବ କରିନି ବରଂ -
ମୋ ଘର ଚାଳ ଭିତରକୁ ସେମାନେ ଧସେଇ ପଶିଛନ୍ତି,
ଆଖି ଡବ ଡବ କରି ଚାହିଁଥାଏ ସିନା
ଏ ମୁର୍ଖ ଦେହରେ ବଳ କେତେ ସାହୁକାର ସହ ଲଢିବାକୁ
ଏଇସନ, ଆରସନ କେତେ ଦେଖେଇଚି -
ଘର ଖଣ୍ଡି ଦବାକୁ,
ଅଫିସର ଆସି ଫଟୋ ଉଠେଇ ନେଇଚି, ହେଲେ
ସବୁଥର ପରି ମୁଁ ମୁକ ପାଲଟେ
ଘର ନ ହଉ ପଛେ, ଏ ଡିହରୁ ବେଦଖଲ ନ କରନ୍ତୁ
ସମ୍ପତି କହିଲେ ଏତିକି , ସେଥିରେ ପୁଣି
ଖଜଣା ମୁଣ୍ଡ ଉପରେ ,
କେହି ଦେଖି ନାହାନ୍ତି -
କେତେ ଦିନ କେତେ ରାତି ଏ ପେଟରେ ଓଦା କପଡା ପଡିଚି
ଅଳିଆ ଗଦାରୁ କାହା ଅଇଁଠା
ରୁଟି ଖଣ୍ଡକରେ କୁକୁର ଭାଗ ବସେଇଚି
ଏଇ ରୁଟି ଖଣ୍ଡକର ଦାମ୍ ଠାରୁ
ଏ ଜୀବନର ମୂଲ୍ୟ ଯଥେଷ୍ଟ କମ୍ ହେଇଗଲାଣି
ତଥାପି ଏ ପାଦ ଥକିନି ,
ବୋଝ ମୁନ୍ଢେଇ
ଆଗକୁ ବଢିଚି ଖଣ୍ଡେ ରୁଟି ଲୋଭରେ
ଯୋଉଠି ପାଦ ଥକିବ
ଏ ମଫସଲିଆଟା ମଶାଣି ଭୂଇଁରେ ସମାଧି ପାଉଥିବ !
