ଶଙ୍ଖା ନେବ ଶଙ୍ଖା
ଶଙ୍ଖା ନେବ ଶଙ୍ଖା
ଶଙ୍ଖା ନିଅ ବୋହୂ ଶଙ୍ଖା
ରଜ ପରବଟା ଏବେ ଓହ୍ଲେଇଛି
ସାଆନ୍ତାଣି ଦିଅ ଦେଖା
ଶଙ୍ଖା ନିଅ ବୋହୂ ଶଙ୍ଖା ।
ବଉଳ ଫୁଲିଆ, ବିଛାମାଳିଆକୁ
ଚୂନଟିପି,ରଙ୍ଗଝିଲିରି,
ଆଣିଅଛି ପୁଣି ଆସମାନତାରା
ମୁଁ ପରା ବୁଢ଼ା ଶଙ୍ଖାରି ।
ଶଙ୍ଖା ବୋଝ ସଙ୍ଗେ ମହାମାରୀ ବୋଝ
ମୋତେ ତ ଖାଇଲେ ଝୁଣି,
ପେଟ ପିଠି ସବୁ ଏକାକାର ମୋର
ନିଅ ବୋହୂ, ସାଆନ୍ତାଣି ।
ଯତନେ ଗଢିଛି ମୁଠା ମଠା ଶଙ୍ଖା
ନାଲି,ନୀଳ ଟିପା ଦେଇ,
ମଗର ମୁହଁରେ ଟଗର ଆଙ୍କିଛି
ଚମ୍ପାଫୁଲ ହାତ ପାଇଁ ।
କୁମ୍ଭକିନାରା ଦକ୍ଷିଣା ପାଟକୁ
ମୟୂରକଣ୍ଠିରି କସ୍ତା,
ତା' ସାଙ୍ଗେ ନାଇବ ଶଙ୍ଖା ଚାରିପଟ
ବଜାର ଦରଠୁଁ ଶସ୍ତା ।
ପିନ୍ଧିବ ସରାଗେ ଖାଇ ପୋଡ ପିଠା
ରଜକୁ କରିବ ସଜ
ଅକାଳେ ସକାଳେ ପୁନେଇଁ ପରବେ
ଆସି ପାରୁନାହିଁ ବୁଢା ଲୋକ ।
ବୈଶାଖୀ ତାତି ମହାମାରୀ ଭୀତି
ଜୀବନକୁ କଲା ଭେଣ୍ଡି,
ଡାକି ପାରୁନାହିଁ ବୁଢା ମିଣିପ ମୁଁ
ମୁହଁରେ ବାନ୍ଧିଛି ତୁଣ୍ଡି ।
ଟଙ୍କାରେ ଚାଉଳ ସେତିକି ସମ୍ବଳ
ସାତଶେଣିଆ ଛପର ଘର,
ଶଙ୍ଖା ଦି'ପଟ ବିକିଲେ ଚଳିବ
ତେଲ ଲୁଣ ମୋ ସଂସାର ।
ନିଅ ବୋହୂ ମାଆ ନିଅ ସାଆନ୍ତାଣି
ମୁଁ ବୁଢା ଶଙ୍ଖାରିଟିଏ,
ଟୋକେଇର ଭାର ହୁଏ ଅସମ୍ଭାଳ
ଅଣ୍ଟା ପିଠି କେଏଁ କେଏଁ ।