ଶ୍ମଶାନ ଶୂନ୍ୟତା
ଶ୍ମଶାନ ଶୂନ୍ୟତା
ଆକାଶେ ଆଷାଢ଼
ସରଗପରିର ଅଶରୀର ସ୍ପର୍ଶ
ପୁଲକିତ ମାଧୁର୍ଯ୍ୟ
ଖାଲି ଛୁଇଁଯାଏ
ମୋ ଅସରନ୍ତି ସ୍ୱପ୍ନ ଓ
ଅସମାପ୍ତ ନିଦକୁ।
ପ୍ରିୟତମ
ନିବିଡ଼ ଆଳାପ
ଅବଚେତନ ମନ ତଳେ
ଅପୂର୍ବ ଵିମୁଗ୍ଧତାର
ମହାବିଭୁତି ବୋଳି ଦିଏ
ଯୁଗ୍ମ ଜୀବନର ନିବିଡ଼ ଅନ୍ଧାରେ।
ଭାବ ଓ ଆବେଗରେ
ଲଟେଇ ହୋଇ ଓହଳି ପଡେ
ଚଳନ୍ତି ସମୟର ପରିବେଗ
ରହସ୍ୟମୟ ସ୍ୱୀକୃତି
ବିଶ୍ୱ ଅଙ୍କନର ସୃଜନ ସଂକଳ୍ପ
ଆନ୍ଦୋଳିତ କରେ ବିମଳ ଜୋତ୍ସା।
ନୂଆ ସକାଳର କିରଣ
ଜାବୋଡି ଧରେ
ଏକାତ୍ମ ଭଙ୍ଗୀରେ
ଚହଲି ଯାଏ
ଦୋହଲିଯାଏ
ହୃଦୟର ଓଦା ଓଦା ଅନୁଭବ।
ସାଧନା ସାନିଧ୍ୟର
ଶ୍ମଶାନ ଶୁନ୍ୟତା ଦିଏ
ଆସକ୍ତିର ମହା ଲଗ୍ନରୁ
ମୁକ୍ତ ହେବା ପାଇଁ
ଶିବତ୍ୱର ଆତ୍ମ ଲଗ୍ନସ୍ଥିରତା
ଛୁଇଁଯାଏ ଅନ୍ତଃକରଣର
ଅନାହତ ଉଚ୍ଚାରଣକୁ ।