ଶିଶୁ ସଂସ୍କାର
ଶିଶୁ ସଂସ୍କାର
କୁନି ଶିଶୁଟିଏ ଜନମ ଲଭିଲା,
ମନ୍ଦିର ତୁଲ୍ୟ ଘରେ ।
ପରିବାର ମଧ୍ୟେ ଆନନ୍ଦ ଭରିଲା,
ଭକ୍ତିରେ ଭଜିଲେ ହରେ ହରେ ।।୧।।
ଧିରେ ଧିରେ ଶିଶୁ ପାଇଲା ସଂସ୍କାର
ଗୁରୁଜନ ଭକ୍ତି ଓ ପ୍ରଣାମ ।
ସାନମାନଙ୍କୁ ଯେ ସ୍ନେହ ସହଯୋଗ,
ବିଦ୍ୟାଧ୍ୟୟନେ ନାହିଁ ବିରାମ ।।୨।।
ଅତିଥିଙ୍କ ଆଗମନରେ,
ଜଳ ଦିଏ ଧୌତ ନିମନ୍ତେ ।
ଗୁରୁଜନଙ୍କର କଥା ମାନିକି,
ଡାକିଲେ ଆଜ୍ଞା ଦିଅନ୍ତେ ।।୩।।
ବଡ଼ଲୋକଙ୍କର ସୂଚନା ମାତ୍ରେ,
ଆଗ୍ରହେ ସଫଳ କରିଲା ।
ବୟସ୍କ ଲୋକଙ୍କ କଥା ସମୟେ,
ପାଟି ନ କରିବା ଜାଣିଲା ।।୪।।
ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେଇ ସିଏ,
କାମ କରିବାଟା ଜାଣିଲା ।
ଭଗବାନ ପ୍ରତି ଭକତି ଦୈନିକ,
ସକାଳୁ ସଅଳ ଉଠିଲା ।।୫।।
ସାନବଡ଼ ବୁଝି ବିଚାରି,
ନିଜ କାମ ନିଜେ କରିଲା ।
ଆପଣାର ବନ୍ଧୁ ଭଗିନୀଙ୍କୁ,
ସାଷ୍ଟାଙ୍ଗ ପ୍ରଣାମ କରିଲା ।।୬।।
ବାଟୋଇ ସହିତ ଦିବ୍ୟାଙ୍ଗଙ୍କ ପ୍ରତି,
ସମ୍ମାନ ପ୍ରଦର୍ଶନ କରିଲା ।
ମାଗଣାହାରୀଙ୍କୁ ଦାନର ମହତ୍ତ୍ଵ,
ପିତାମାତାଙ୍କଠୁଁ ପାଇଲା ।।୭।।
ଅଜ୍ଞାତ କାର୍ଯ୍ୟରେ ସଂପୃକ୍ତି ନୋହିଲା ।
କଳହ ସୃଷ୍ଟିଠୁଁ ଦୂରେଇ ରହିଲା,
ଥଟ୍ଟା ପରିହାସ କଦର୍ଥ ବିଚାର,
ସାବଧାନ ସହ ଚଳିଲା ।।୮।।
ଗୁରୁଜନଙ୍କୁ ସମ୍ମାନର ଶବ୍ଦ,
ଆସନ୍ତୁ, ବସନ୍ତୁ, ଆପଣ ।
ନିଅନ୍ତୁ, ଦିଅନ୍ତୁ ଆଦିରେ,
ସମ୍ବୋଧନ କଲା ଜାଣ ।।୯।।
ସଂସ୍କାରକ୍ଷମ ବାତାବରଣରେ,
ପରିବାର ଥିଲା ଜଡ଼ିତ ।
ଆମ ଘର ଏକ ମନ୍ଦିରତୁଲ୍ୟ,
ସୁସ୍ଥ ପରିବେଶ ନିହିତ ।।୧୦।।
ଶିଶୁଟିଏ ଯଦି ସଂସ୍କାର ପାଇଲା,
ପରିବାର ହେବ ଉନ୍ନତ ।
ଭଲ ମଣିଷଟି ହେବାପାଇଁ ତା'ର,
ସ୍ଥାପନା ହେଲା ଭବିଷ୍ୟତ ।।୧୧ ।।
