ଶିଶୁ ହସିଲେ ଦୁନିଆଁ ହସେ
ଶିଶୁ ହସିଲେ ଦୁନିଆଁ ହସେ
ଧରଣୀ ବୁକୁରେ ଅତି ମନଲୋଭା ଶିଶୁ ମୁଖେ ଧାରେ ହସ
ଫୁଲ କଢି ସମ ଫୁଟି ଫୁଟି ସିଏ କରେ ସୌନ୍ଦର୍ଯ୍ୟ ବିକାଶ
ଜନେ ଅତି ହରଷେ
ତୋଳି ଧରି କୋଳେ ଭୁଲନ୍ତି ବିଷାଦ ତା'ର କୋମଳ ପରଶେ
ଶିଶୁ ହସିଲେ ଦୁନିଆଁ ହସେ ।
ତାଙ୍କ ହସୁ ଝରେ ଯେତେ ମଣିମୁକ୍ତା ତାହା ଅଟେ ଅଗଣନ
ହସି ହସାଇବା ପରା ତାଙ୍କ ଲକ୍ଷ୍ୟ ସତେ କି ବାସ ଚନ୍ଦନ
ମହକେ ତନମନ
ଉପଯୁକ୍ତ ଶିକ୍ଷା ସଂସ୍କାର ବଳରେ ପୂରଣ ଯେତେ ସପନ
ତାଙ୍କୁ କେବେ ବି ନ ମଣ ହୀନ ।
ତା'ର ମିଠା କଥା ଭାରି କଅଁଳିଆ ସତେ କି ମହୁ ଝରଇ
ଠୁକୁଠୁକୁ ଚାଲିରେ କି ଫୁଟି ପଦ୍ମ ଅପାର ଖୁସି ଭରଇ
ନିଷ୍ପାପ ମନଟିରେ
ପର ଆପଣାର ଭାବ ବି ନଥାଏ ସବୁ ମନ କିଣି ପାରେ
ସବୁଠୁ ସୁନ୍ଦର ସେ ମହୀରେ ।
ଅତି ଯତନରେ ସୋହାଗ ଆଦରେ ବଢ଼ାଇ ନେଲେ ତାହାକୁ
ଦେଶ ଭବିଷ୍ୟତ ଗଢ଼ିବାରେ ଧ୍ୟାନ ଦେଖାଇ ଜଣେ ଜଣକୁ
ସାଜି ଅମୂଲ୍ୟ ରତ୍ନ
ଚିକିମିକି ଦିଶି ଝଲସି ଉଠିବେ ରଖିବେ ଜାତିର ମାନ
କରି ବିକଶିତ ନିଜ ଗୁଣ ।