ଶିକ୍ଷକ
ଶିକ୍ଷକ
ପାଠ ପଢିବାକୁ ଛାତ୍ରଟିଏ ଯାଏ
ପାଖକୁ ଶିକ୍ଷକଙ୍କର ।
ଟିଉସନ ଅବା ବିଦ୍ୟାଳୟ ହେଉ
ପଢେ ପାଠ ଦି ଅକ୍ଷର ।।
ବିଦ୍ୟାଳୟ ଯାଉ ଆମେ ପିଲାଦିନେ
ଦେଖିଛୁ ଯାହା ଆଖିରେ ।
ସୁଶିକ୍ଷକଗଣ ଶିକ୍ଷା ଦେଉଥିଲେ
ଆମକୁ ଅତି ଯତ୍ନରେ ।।
ଅବୁଝା ବିଷୟ ଦିଅନ୍ତି ବୁଝାଇ
ଉଦାହରଣକୁ ଦେଇ ।
ବୁଝିବା ପର୍ଯ୍ୟନ୍ତ ଧୈର୍ଯ୍ୟ ସହକାରେ
ବୁଝାଉ ଥାଆନ୍ତି ସେହି ।।
ଦୁଷ୍ଟାମୀ କରିଲେ ସୁଧାରିବା ପାଇଁ
ଦେଉଥିଲେ ମାଡ ଗାଳି ।
ନ ପଢିଲେ ପାଠ କରନ୍ତି ଆକଟ
ଏବେ ନାହିଁ ଆଗଭଳି ।।
ସ୍ନେହ ରହିଥାଏ ମନରେ ତାଙ୍କର
ଲକ୍ଷ୍ୟ ଥାଏ ଆମ ହିତ ।
ଆମ ମନକଥା ବୁଝି ସେ ପାରନ୍ତି
ସତେ କି ଆମରି ମିତ ।।
ଶିକ୍ଷକ ଆମର ସମ୍ମାନର ପାତ୍ର
ଆମେ ବି ଅଭିବାଦନ ।
କରୁଥାଉ ତାଙ୍କୁ ଯେଉଁଠି ଦେଖିଲେ
ଦିବା ନିଶି ପ୍ରତିଦିନ ।।
ଶିକ୍ଷକ ଦେଶର ମୂଳଦୁଆ ସିନା
ଆଦର୍ଶ ଛାତ୍ର ଗଠନ ।
କରନ୍ତି ଶିକ୍ଷକ ସାଜି ଦୂରଦ୍ରଷ୍ଟା
ଦେଇ ଉପଦେଶମାନ ।।
ଯିଏ ଯେତେ ଉଚ୍ଚ ଆସନେ ବସିଛି
ଶିକ୍ଷକଙ୍କ ଯୋଗୁଁ ସିନା ।
ସହଜ କଥା କି ଶିକ୍ଷକ ହୋଇବା
ବୃତ୍ତି ଶିକ୍ଷକତା ସିନା ।।
ସବୁ ବୃତ୍ତିଧାରୀ ଶିକ୍ଷକ କି ହେବେ
ପଦବାଚ୍ୟ ଶିକ୍ଷକର ।
ଶିକ୍ଷକ ହୋଇବା ଜୀବନ ଗଢିବା
ଦୁର୍ଲ୍ଲଭ ଏ ଜଗତର ।।
ଶିକ୍ଷକଙ୍କୁ ଗୁରୁ କୁହାଯାଏ ସେ ତ
ବ୍ରହ୍ମା ବିଷ୍ଣୁ ମହେଶ୍ଵର ।
ଛାତ୍ର ଛାତ୍ରୀଙ୍କର ବିଦ୍ୟା ଅଧ୍ୟୟନେ
ଭୂମିକା ତାଙ୍କ ଅପାର ।।