ଶୀତ
ଶୀତ
॥୧॥
ମାଘ ମାସ ଶୀତ
ମନେ ଦିଏ ଭୀତ
ଭାଙ୍ଗି ଦିଏ ମେରୁ ହାଡ ।
ଅଵଶ ଶରୀର
ବିଷମ ପ୍ରକାର
ବାଘ ପରି ଆସେ ଜାଡ ॥
॥ ୨॥
ଦିନ ହୁଏ ସାନ
ପ୍ରଭାତୁ ମଧ୍ୟାହ୍ନ
ସାୟମ୍ କାଳ ଆସି ଯାଏ ।
ସୁଖ ଶୟନର
କ୍ଲାନ୍ତ ଏ ଶରୀର
ରାତ୍ରେ ଲାଭ କରିଥାଏ ॥
॥ ୩॥
ଶିଶିରସିକ୍ତା
ପଥରେ ଯାତ୍ରା
ପଥିକ ପାଦ ଭିଜାଏ ।
ଦୃମ ଲତା କୁଳ
ପଲ୍ଲବ ଶୀତଳ
ଜଳ ବୁନ୍ଦା ସିଞ୍ଚି ଦିଏ ॥
॥ ୪॥
ନବୀନ ଅରୁଣ
ସୁନେଲି ବରଣ
ଆଭାରେ ପ୍ରବେଶ ଧରା ।
କାକରର ବିନ୍ଦୁ
କ୍ଷୁଦ୍ର ମୋତିଇନ୍ଦୁ
ଦର୍ଶନ ନୟନ ପରା ॥
॥ ୫॥
ସବୁଜ ଘାସର
ଗାଲିଚା ଉପର
ଦିଶେ ଅତି ରମଣୀୟ ।
ସୂରୁଜ କିରଣେ
ପ୍ରବାଳ ବରଣେ
ଦୃଶ୍ୟ ତା ଲୋଭନୀୟ ॥
॥ ୬॥
ସରସୀ କୂଳରେ
ଗାଧୁଆ ତୁଠରେ
ଗ୍ରାମ୍ୟ ବଧୂଙ୍କ ଗହଳ ।
ପାଦପ ଅଙ୍କରୁ
ପତର ଫାଙ୍କରୁ
ଟପଟପ ପଡେ ଜଳ ॥
॥୭॥
ପଲ୍ଲୀ ବାଳା ଗଣ
ହୃଦେ ଶିହରଣ
ଆଣି ଦିଏ ଫୁଲ ବାସ ।
ମଣ୍ଡା ଚ଼ମ୍ପା କେଳି
କୁରୁବକ ମିଳି
ତରାଟ ଟଗର ହାସ ॥
॥୮॥
ପୁଣ୍ଯ ଦେବାଳୟେ
ପ୍ରଭାତ ସମୟେ
ଶୁଭଇ ଘଣ୍ଟ ଶବଦ ।
ପ୍ରଦୀପ ଜଳାଇ
ଧୂପଦୀପ ଦେଇ
ଉଚ୍ଚାରଣ ବ୍ରହ୍ମ ନାଦ ॥
॥୯॥
ଶୀତଋତୁ ଆସି
ଧରାରେ ପ୍ରବେଶି
ଉଲ୍ଲସିତ କରେ ପ୍ରାଣ ।
ଦଳ ଦଳ ବାଳ
ବୃଦ୍ଧ ହୋଇ ମେଳ
କରନ୍ତି ପ୍ରାତଃ ଭ୍ରମଣ ॥
॥୧୦॥
ତୀର୍ଥସ୍ଥାନ ଯିବା
ଧରମ ପାଳିବା
ସ୍ଵାସ୍ଥ୍ୟବାନ ହେବା ପାଇଁ ।
ଏ ମାଘ ମାସ ରେ
ହରଷ ମନରେ
ବାଗ୍ ଦେବୀ ପୂଜିବା ଭାଇ ॥