ଶୀତ
ଶୀତ
କେତେ ନିଷ୍ଠୁର ଏ ଶୀତ ,
କେତେ ନିର୍ଦ୍ଦୟ
ହୃଦୟ ହୀନଟେ ..
ମନଟା ଭରି ଆସେ
ଯେତେବେଳେ ନଜର ଆସେ ..
ଏ କୋହଲା ପାଗରେ
ଖୋଲା ଆକାଶ ତଳେ
ଅଧା ଭଙ୍ଗା ଅଣ୍ଟା ସହ
ଅତି ନିରୀହ ବୁଢ଼ାଟିକୁ ଦେଖିଲେ ...।
ଦେହରେ ତାର ଅଜସ୍ର ଭାଙ୍ଗ
ପ୍ରତି ଭାଙ୍ଗରେ କିଛି ନୂଆ କାହାଣୀ ..।
ସ୍ତର ସ୍ତର ମାଂସର କୁଞ୍ଚ ସବୁ ବଖାଣି ଦିଏ
ତାର ଦୁର୍ଦ୍ଦିନର ଯୁଗକୁ ....।
କେତେ ପ୍ରତିଶ୍ରୁତି ତା ଆଡକୁ ମାଡିଆସେ ,
କିନ୍ତୁ ସେ ପ୍ରତିଶ୍ରୁତି ସବୁ ପାଲଟି ଯାଏ
ପାଣିର ଗାର ପରି ....।
ଛୁଇଁ ଯାଏ ସିନା ମନକୁ
କିନ୍ତୁ କେବେ ବି ସୁଧୁରି ପାରେନି ତା ଅବସ୍ଥାକୁ ...।
ମିଛର ପ୍ରଲେପ ଥିବା ସେ କଥା ସବୁ
ବୁମେରାଂ ହୋଇ ଫେରିଯାଏ
କଥାକାର ପାଖକୁ ....
ସମୟ ବଦଳେ , ଆଉ ରହିଯାଏ ବୁଢ଼ାଟି
ଠିକ୍ ସେମିତି ଅସହାୟ ହୋଇ ......।
ଦୋଷ ଦିଏ ଶୀତକୁ ...।
ଆଃ କେତେ ନିଷ୍ଠୁର ଏ ଶୀତ ....
ଦେହରେ ଗାର ,
ମୁଣ୍ଡରେ ନୁଖୁରା କେଶ ,
ଆଉ ଆଖିର ପ୍ରତି ଶିରା ,
ବଖାଣି ଦିଏ ତାର କେତେ ଭଙ୍ଗା ସ୍ବପ୍ନକୁ ...।
କିଏ ପଇସାରେ ଶୀତକୁ କିଣି
କବାଟ କିଳି ରଖିଦିଏ
ଆଉ କିଏ ଶୀତର ବାଘୁଆ ରୂପର
ଶୀକାର ହୁଏ .....।
ସତରେ କେତେ ନିର୍ଦ୍ଦୟ ଏ ଶୀତ ....
ଏ ହୃଦୟ ହୀନ ଶୀତକୁ
କେହି ଟିକେ
ଯାଚନ୍ତାନି ଉଷ୍ମତାର ଚଦରଟିଏ ....।
