ଶୀତ
ଶୀତ
ବରଷକ ଆମ ବାରମାସ ଅଟେ
ଆସେ ସିଏ ଗୋଟି ଗୋଟି
ଭୁଲିବନି ପିଲେ ମନେ ରଖି ଥିବ
ଆସେ ବି ୠତୁ ଛଅଟି ।
ହେମନ୍ତ ପରେ ଶୀତ ଆସିଯାଏ
ଦୁଇ ଗୋଟି ମାସ ନେଇ
ଶୀତ କାକରର ଶିଶିର ବିନ୍ଦୁଟି
ଯାଏ ତ ଧରାକୁ ଛୁଇଁ ।
ପହିଲି ଶୀତଟି ଆକାଶ ଛୁଅଁଇ
ଖୁଦୁରୁକୁଣୀ ଓଷାରେ
ଆସିଥାଏ ସିଏ ଏ ଧରା ଧାମକୁ
ଖଇ ଲିଆର ଡାଲାରେ ।
ଦ୍ୱିତୀୟ ପାଦଟି ବଢାଇ ଦିଏ ସେ
ଆଶ୍ବିନର ଦ୍ୱିତୀୟାରେ
ଦୁତୀବାହନରେ ବୋଝ ଟୋକେଇରେ
ପଶି ଥାଏ ଘରେ ଘରେ ।
ହେମନ୍ତ ଋତୁର ଏ ଶୀତ କାକର
ଟିକେ ଟିକେ ବଢୁଥାଏ
ପାହାନ୍ତି ପହର ଶୀତ କାକରଟି
ଦେହକୁ ଥରାଇ ଦିଏ ।
ପୌଷ ,ମାଘ ମାସ ନ କହିବା ଭଲ
ଶୀତ ଋତୁ ଅଟେ ଇଏ
କମ୍ବଳ, ସୁଇଟର ହେଂସ ମଶିଣାକୁ
ନର ଏଠି ଖୋଜି ଥାଏ ।
ମାଘ ମାସର ଏ ବାଘ ପରି ଶୀତ
ଭୁଲିବା ପାରିବ କିଏ
ପାଣିକୁ ଦେଖିଲେ ପିଲାଏ ଡରନ୍ତି
କାଲୁଆ ମାରୁଣ ଥାଏ ।
ଶୀତ ସକାଳର ଆକାଶ ଦେହରୁ
କୁହୁଡି ପଡଇ ଝରି
ଧରାକୁ ଭିଜାଏ ମନକୁ ହଜାଏ
ଆକାଶ କାକର ବାରି ।
ସକାଳ ପହିଲି ସୁରୁଯ କିରଣ
ଯେବେ ଛୁଇଁ ଯାଏ ଧରା
ପିଠିକୁ ଦେଖେଇ ପଇଁ ହ୍ୟନ୍ତି ପିଲେ
ବୁଢା ବୁଢୀ ବସି ଖରା ।
ଶୀତଳ ସମୀର ବହୁଥାଏ ଧୀରେ
ଗାଧେଇବା ପାଇଁ ଡର
ନିଆଁ ଜାଳି ପିଲେ ପଇଁ ହେଉଥାନ୍ତି
ବସିଣ ଗାଆଁ ଦାଣ୍ଡର ।
ସଞ୍ଜ ନଇଁ ଗଲେ ଶୀତୁଆ ପବନ
ଦେହକୁ ଥରେଇ ଦିଏ
ଉଷୁମ ପାଇବା ପାଇଁ ଛୋଟ ପିଲା
ମାଆ କୋଳ ଖୋଜୁ ଥାଏ ।
ଖାଇବାକୁ ଜମା ଇଚ୍ଛା ହୁଏ ନାହିଁ
ଘୋଡେଇ ହେଇଣ ଶୁଏ
ଗନ୍ଥା, ମଶିଣାର ଭିତରେ ପଶି ସେ
ଗୀତ ଗପ ଶୁଣୁ ଥାଏ ।
ଆମ୍ବ ଗଛେ ଆମ୍ବ ବଉଳ ଆସଇ
ଲୋଭନୀୟ ଦେଖାଯାଏ
ଏ ଶୀତ ୠତୁରେ ପନି ପରିବାରଟା
ବହୁତ ଯେ ମିଳୁ ଥାଏ ।
ପାହାନ୍ତିଆ ଶୀତ ଦେହକୁ ଥରାଏ
ଉଠିବାଟା କଷ୍ଟ ହୁଏ
କୃଷକ ଭାଇଟି ଗୀତ ଗାଇ ଧାନ
ବେଙ୍ଗେଳା ଯେ କରୁ ଥାଏ ।
ସପ ପକାଇଣ ଖରାରେ ବସି କି
ପିଲା ପାଠ କରୁଥାଏ
ଶୀତ କାକରର ପାହାନ୍ତିଆ ପଢା
ଜଲ୍ଦି ମନେ ରହିଯାଏ ।
ବିଦ୍ୟାଳୟେ ମାଆ ସରସ୍ବତୀଙ୍କର
ପୂଜା ଅର୍ଚ୍ଚନା ହୁଅଇ
ଅଗିରା ପରବେ ଏଇ ଶୀତ ପୁଣି
ବିଦାୟ ନେଇ ଯାଅଇ ।
ଏଇ ଶୀତ ଆମ ପାଇଁ ଅଟେ ମିତ
ମିଶି ଗାଇ ଯିବା ଗୀତ
ଶୀତ ଋତୁ ବଡ ହିତ ହେଇଥାଏ
ତା ପାଇଁ ହସେ ଜଗତ ।
