ଶୀତ ସ୍ମୃତି ଅନୁଭୂତି
ଶୀତ ସ୍ମୃତି ଅନୁଭୂତି
ହାଡ଼ ଥରା ଶୀତ ଦେହକୁ ଥରାଏ
ଉଠିବାକୁ ହୁଏ ଡେରି
କମ୍ବଳ ଭିତରେ ରହିବାକୁ ମନ
ସବୁ କାମ ଛାଡ଼ି କରି l
କୋହଲା ପବନ ମାରେ ଥିରି ଥିରି
ଦୋହଲାଏ ଦେହ ମନ
ବରଷା ରାଣୀ ବି ତା' ସାଥେ ମିଶିକି
ଟପକୁଛି ରାତି ଦିନ l
ଖଟା ମିଠା ମିଶା ଶୀତ ଅନୁଭୂତି
ନିଆରା ନିଆରା ଲାଗେ
କୁହୁଡ଼ି ସକାଳେ କଅଁଳ ଖରାରେ
ଅତୀତର ସ୍ମୃତି ଜାଗେ l
କାଠି କୁଟା ପତ୍ର କରି ଏକତ୍ରିତ
ନିଆଁ ପଇଁବାର ମଜା
ସକାଳେ ସଞ୍ଜରେ ଘର ଅଗଣାରେ
ଜେଜେମା' ବାଦାମ ଭଜା l
ଶୀତୁଆ ସକାଳେ ଘର ପିଣ୍ଡା ପରେ
ପଢ଼ୁଥିଲୁ ବସି ନିତି
ସାହିତ୍ୟ ଭୂଗୋଳ ଇତିହାସ ସାଥେ
ଗଣିତ ଆଉ ଜ୍ୟାମିତି l
ସନ୍ଧ୍ୟା ହୋଇଗଲେ ଜେଜେମା'ର କୋଳେ
ଗପ ଶୁଣୁଥିଲୁ ବସି
ବୁଢ଼ୀ ଅସୁରୁଣୀ ପରିଙ୍କ କାହାଣୀ
ଭାଈ ଭଉଣୀଏଁ ମିଶି l
ମୋ ଗାଁର ଶୀତ ସାଥୀ ସାଙ୍ଗ ମିତ
ମୋ ପାଇଁ ଅତୀତ ଆଜି
ଏକାନ୍ତ ବେଳାରେ ମନେ ଉଙ୍କି ମାରେ
ସଜ ଫୁଟା ଫୁଲ ସାଜିଛି ।
