ଶୀତ ଆଗମନେ
ଶୀତ ଆଗମନେ
ଶିଶିର ପଖଳା ଦୁର୍ବାଦଳ ଦେହେ
ଶିହରୀଶିହରୀ ଆସଇ ଶୀତ
ସମ୍ବର୍ଦ୍ଧନା କରେ ସରାଗେ ପ୍ରକୃତି
ଶୁଭ୍ର କୁହୁଡି ଚାଦର ସହିତ ।
କିଆକେତକୀରେ ମହମହ ବାସ
ବାଡ଼ି ବଗିଚାରେ ଭରା ପ୍ରାଚୁର୍ଯ୍ୟ
ଶସ୍ୟ ଦେଖି ଚାଷୀ ଖୁସିର ଜୁଆର
ଅଭାବୀ ଆଖିରେ ସ୍ବପ୍ନ ଭାସ୍କର୍ଯ୍ୟ ।
ଗୃହିଣୀ ରାଣୀ ତା' ଘର ଅଙ୍ଗନରେ
ଆଙ୍କି ଲକ୍ଷ୍ମୀ ଝୋଟି କୁଢାଏ ମାଣ
ମାତା ତୃପ୍ତେ ଧନଧାନ୍ୟ ଗୋପଲକ୍ଷ୍ମୀ
ବିଶ୍ୱାସରେ କରଇ ନିବେଦନ ।
ଶାନ୍ତକାନ୍ତ ଶିକ୍ତ ଘୁମନ୍ତ ଦିଗନ୍ତ
ଅଳସ ଭାଙ୍ଗଇ କଅଁଳ ସୂର୍ଯ୍ୟେ
ଦୂର ଦେଉଳରୁ ବେଦ ଶଙ୍ଖଧ୍ୱନୀ
ମଧୁର ମୂର୍ଚ୍ଛନା ପରାଣ ହଜେ ।
ଥୁରୁଥୁରୁ ଶୀତେ ଗ୍ରାମ୍ୟବଧୂଟିଏ
ଉଷାସ୍ନାନୁ ଫେରଇ ଥିରିଥିରି
ଭୁରୁଭୁରୁ ବାସେ ମକର ଚାଉଳ
ଧନୁମୁଆଁ ହସଇ କିରିକିରି ।
ବର୍ତ୍ତିବା ନିମନ୍ତେ ଶୀତ ପ୍ରାଦୁର୍ଭାବୁ
ଉହ୍ନେଇ ଜାଳି ଗରିବୀ ଆଉଜେ
ଓଠ ଆଣ୍ଠୁ ଜାକି କର୍ମକୁ ଆଦରି
ଅଗ୍ନି ଧୂଆଁଧାରେ ଆଶ୍ରୟ ଖୋଜେ ।
ଧୁମ୍ର ଧବଳିଆ ବହଳ କୁହୁଡି
ପ୍ରହେଳିକା ରଚେ ଯାତାୟତରେ
ଘଟାଏ କେତେ ଘଟଣା ଦୁର୍ଘଟଣା
ଦୁରଯାତ୍ରୀ ବିଚରା ବିଭ୍ରାନ୍ତରେ ।
ହଳଦୀ ଗୁରୁଗୁରୁ ସୋରିଷ କ୍ଷେତ
ମାଦକତା ଆଣେ ପ୍ରକୃତି କୋଳେ
କ୍ଷେତ,ଖଳାବାଡ଼ି ଧା6ନ୍ୟ ବିମଣ୍ଡିତା
ଶ୍ରୀମଣ୍ଡିତା ହୁଏ ସ୍ବର୍ଣ୍ଣ ଶ୍ୟାମଳେ ।
ମଧ୍ୟାହ୍ନର ବେଳ ଖରାଛାଇ ଖେଳ
ଚପଳ ନିର୍ଣ୍ଣୟ ହୁଏନା ନେଇ
ଛାଇଠାକୁ ଗଲେ ଲାଗେ ଶୀତଶୀତ
ଖରା ପୁହାଇଲେ ଦେହ କାଟଇ ।
ସାୟାହ୍ନର ଶୋଭା ପଲ୍ଲୀଭୂଇଁ ଆଭା
କହିଲେ ନସରେ ପିୟୁଷଝରା
ଗୋଧୂଳି ଲଗନ ଉନ୍ମାଦିନୀ ଜହ୍ନ
ନିଆରା ଭୋଗ୍ୟ ସେ ଶୋଭା ପସରା ।
ତାରଫୁଲ ସଜ୍ଜିତ କୃଷ୍ଣ ରଜନୀ
ରସୋବନ୍ତ କରେ କବିର ପ୍ରାଣ
ଗଭୀର ନିବିଡ଼ ପାହାନ୍ତିଆ ଜାଡ
ପରାଭୂତ କନ୍ଥାକମ୍ବଳ ଟାଣ ।
ଯାବତ୍ୟ ଖାଦ୍ୟ ରୁଚିପୂର୍ଣ୍ଣ ଏ' ଦିନେ
ସୁସ୍ୱାଦୁ ଲାଗଇ ଅନ୍ନବ୍ୟଞ୍ଜନ
ବଣଭୋଜି ପ୍ରକୃତି ପରିଭ୍ରମଣ
ନୈସର୍ଗିକ ଶୋଭା ହରଇ ମନ ।