ସହିଦର ସ୍ତ୍ରୀ ବିଧବା ନୁହେଁ
ସହିଦର ସ୍ତ୍ରୀ ବିଧବା ନୁହେଁ
ଶତ୍ରୁ ସହ ଲଢ଼ି ବୀର ସଇନିକ
ସାଜିଲେ ସହିଦ ବୀର
ମାଆ ମାଟି କୋଳେ ହଜଲେ ବି ଦେହ
ସେ ରହିଥାଏ ଅମର ।
ଲିଭିଲେ ସିନ୍ଦୂର ମଥାରୁ ପତ୍ନୀର
ଯେଣୁ ସିଏ ଅର୍ଦ୍ଧାଙ୍ଗିନୀ
ବଢ଼ାଏ ଗରିମା ବୀରତ୍ବ ତିଳକ
ସେଥିରେ ସେ ସୀମନ୍ତିନୀ ।
ସ୍ବାମୀର ଦର୍ପରେ ସିଏ ପରା ଦର୍ପୀ
ତା'ର ପିଲାଙ୍କୁ ବୁଝାଇ
ହୃଦୟକୁ କରେ ପଥର ପରାୟ
ବିରହ ଯାତନା ସହି ।
ହୃଦୟ ଯନ୍ତ୍ରଣା ଅକୁହା ବେଦନା
ଅନ୍ତରରେ ଚାପି ରଖି
ମୁଖରେ ଟିକିଏ ହସ ଉକୁଟାଏ
ସତେ ରଙ୍ଗ ମଖା ଆଖି ।
ତ୍ୟାଗମୟ କେତେ ତା' ଜୀବନ ସତେ
ଜାଣେ ଅନୁଭବୀଟିଏ
ସ୍ବାମୀକୁ ବିଦାୟୀ ପ୍ରତିଥର ସିଏ
ନିଜକୁ ବୁଝାଇଥାଏ ।
ପତି ବିଜୟରେ ଅନ୍ତର ଫୁଲାଏ
ଗରବରେ କହେ କଥା
ତ୍ରିରଙ୍ଗାରେ ଢଙ୍କା ଦେଖି ସ୍ବାମୀ ମୁହଁ
ଲୁହେ ବି ଥାଏ ଅସ୍ମିତା ।
ସାଜିଥାଏ ଯେଣୁ ସହିଦର ସ୍ତ୍ରୀ
ତେଣୁ ନୁହଁଇ ବିଧବା
ବରଂ ବୀରବଧୂ ଭାବରେ ଗଣିତ
ପରୋକ୍ଷେ ରହେ ସଧବା ।।
