ଶିବେଇ ସାନ୍ତରା
ଶିବେଇ ସାନ୍ତରା


କୋଣାର୍କ କାନନେ ଚନ୍ଦ୍ରଭାଗା ତୀରେ
ଶିବିର ଥାପିଲେ ଦିନେ l
ଉତ୍କଳ ନରେଶ ଲାଙ୍ଗୁଳା ନୃସିଂହ କରି
ବିହାର ବିଜନେ l
ସଙ୍ଗେ ଥିଲେ ତାଙ୍କ ଶିବେଇ ସାନ୍ତରା
ଉତ୍କଳର ମହାମନ୍ତ୍ରୀ l
ଉଷା ଉପଗତ ମହୋଦଧି କୂଳେ ପାହି
ଆସୁଥିଲା ରାତି l
ନରେଶ ଦେଖାଇ ମନ୍ତ୍ରୀଙ୍କୁ କହନ୍ତି ଦେଖୁ
ଅଛକି ଶିବେଇ l
ସାଗର ବୁକୁରୁ କି ସୁନ୍ଦର ଆହା ସବିତା
ଆସନ୍ତି ଉଇଁ l
ଏହା ଦେଖି ମୋର ମନେ ମନ୍ତ୍ରୀବର
ଜାଗୁଅଛି ଏକ କଥା l
ଦେଉଳ ଗୋଟିଏ ନିର୍ମାଣ କରିବି ପୂଜିବି
ସୂର୍ଯ୍ୟ ଦେବତା l
ସୂର୍ଯ୍ୟ ରଥ ସମ ସେ ଦେଉଳ ହେବ
ବିଶ୍ୱରେ ଅପୂର୍ଵ କଳା l
ଯାଅ ମନ୍ତ୍ରୀବର ଆୟୋଜନ କର
ତିଳେ କର ନାହିଁ ହେଳା l
ଶିଳ୍ପୀକୂଳେ ଡାକି ପରାମର୍ଶ କରି ଶିବେଇ
କରିଲେ ସ୍ଥିର l
ଚନ୍ଦ୍ରଭାଗା ଗର୍ଭେ ପଦ୍ମତୋଳା ଗଣ୍ଡେ
ଗଢ଼ିବେ ଦିବ୍ୟ ମନ୍ଦିର l
ପଥର ଆଣି ସେ ଗଣ୍ଡ ପୋତାଇଲେ
ଘଟିଲା ବଡ଼ ପ୍ରମାଦ l
ଶିବେଇ ଦେଖନ୍ତି ଭାସିଗଲା ସବୁ ପଥର
ଯେହ୍ନେ ବୁଦବୁଦ ।
ଅନେକ ପ୍ରୟାସ କରି ମହାମନ୍ତ୍ରୀ ନ
ପଡ଼ି ପାରିଲା ଭିତ୍ତି l
ଶିବେଇ ବୁଲନ୍ତି ଇତସ୍ତତଃ ହୋଇ
ଯେସନେ ପାଗଳ ହାତୀ l
ବୁଲି ବୁଲି ଯାଇ ଏକ ବୃଦ୍ଧା ଘରେ
ମନ୍ତୀରି ହେଲେ ଅତିଥି l
ଭୋକିଲା
ଅତିଥି ଯାଉ ବାଢ଼ିଦେଲେ
ବୃଦ୍ଧା ଯତନରେ ଅତି l
ପେଟ ଜଳୁଥିଲା ତରବର ହୋଇ
କିଛି ନ ଚିନ୍ତି ଶିବେଇ l
ହାତ ପୋଡ଼ିଗଲା ଯହୁଁ ଦେଇଛନ୍ତି
ଜାଉର ମଧ୍ୟେ ପୁରେଇ l
ପାଶେ ଥିଲେ ବୃଦ୍ଧା ହସି ଦେଲେ ଅଧା
କହନ୍ତି ମଧୁର ବାଣୀ l
ଶିବେଇ ସାନ୍ତରା ପ୍ରାୟେ କଲୁ ବାବୁ
କିଛି ନ ପାରିଲୁ ଜାଣି l
ଉତ୍କଳର ମନ୍ତ୍ରୀ ଗଣ୍ଡ ପୋତିବାକୁ ନଦୀ
ମଝିରେ ପଥର l
କୂଳରୁ ବାନ୍ଧିଲେ ସିନା ପୋତା ହେବ
ପଥର ରହିବ ଥିର l
ସେହି ପ୍ରାୟ କଲୁ ଗରମ ଯାଉର ମଧ୍ୟେ
ହାତ ଦେଲୁ ଭରି l
ବିଞ୍ଚି ଦେଉ ଅଛି ଖାଅ ଯାଉ ଏବେ ପାଶୁ
ଧୀରେ ଥିରି ଥିରି l
ଯାଉ ଖାଇ ସାରି ଶିବେଇ କହନ୍ତି ମାଆ
ଦେଲୁ ମହାଶିକ୍ଷା l
ମୁହିଁ ସେହି ମୂର୍ଖ ଶିବେଇ ସାନ୍ତରା ଲଭିଲି
ତୋ ଠାରୁ ଦୀକ୍ଷା l
ଯାଉ ଖାଇ ଫେରି ଗଣ୍ଡ ସେ ପୋତିଲେ
ଛିଡ଼ା ହୋଇଗଲା ଭିତ୍ତି l
ସୂରୁଜ ମନ୍ଦିର ଗଢ଼ା ହେଲା ତହିଁ
ସଂସାରେ ଅତୁଳ କିର୍ତ୍ତୀ l
କେତେଶ ବରଷ ବିତିଛି ସେ ଦିନୁ ଉତ୍କଳେ
ଉତ୍କର୍ଷ କଳା l
ଚାରୁକଳା ବିଶୁ, ଧରମା, ଶିବେଇ, ସୂଚୀ
ମୁନେ ଆଙ୍କି ଦେଲା l
ସୂରୁଜ ଦେବତା ଉଡ଼ି ଯାଆନ୍ତି କି ଗଗନେ
ଚଢ଼ି ସେ ରଥ l
ସାତ ଗୋଟି ହୟ ଟାଣି ନେଉଛନ୍ତି
କୋଣାର୍କ ବିଶ୍ୱ ବିଖ୍ୟାତ ।