STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଶିବ ହିଁ ବିଶ୍ୱ

ଶିବ ହିଁ ବିଶ୍ୱ

1 min
313

କଣ୍ଠେ ସୁଶୋଭିତ ଭୁଜଙ୍ଗର ମାଳା

ଜଟାରୁ ଯା ଝରେ ଜାହ୍ନବୀର ଧାରା,

ଦେବଙ୍କର ଦେବ କାଳର ସେ କାଳ

ତାଣ୍ଡବ ଯା କୋଟି ହୃଦତନ୍ତ୍ରୀ ଥରା। 


ଡମ୍ବରୁରେ ଯାର କମ୍ପେ ତିନିପୁର

ସୃଷ୍ଟି ରକ୍ଷା ପାଇଁ ପିଏ ଯେ ଜହର,

ସେ ହିଁ ଆଦିଯୋଗୀ ମହା ଯୋଗେଶ୍ୱର

ଧ୍ୟାନମୁଦ୍ରା ଯା'ର ସୁରକ୍ଷା ସୃଷ୍ଟିର। 


ନାହିଁ ଯା'ର ଆଦି ସେ ଯେ ଅନ୍ତହୀନ

ସୃଷ୍ଟି ଯାର ଧ୍ୟାନେ ମଗ୍ନ ପ୍ରତି କ୍ଷଣ,

ରୂଷି ମାର୍କଣ୍ଡେୟ ସାନିଧ୍ୟେ ତାଙ୍କରି

ହେଲେ ଚିରଞ୍ଜୀବୀ ନ ଲଭି ମରଣ।


ଶିବ ହିଁ ବିଶ୍ୱ, ବିଶ୍ବରେ ହିଁ ଶିବ

ଖୋଜିଲେ ମିଳିବ ନିଶ୍ଚେ ପରାଭବ,

ବ୍ରହ୍ମାଣ୍ଡର ପ୍ରତି କୋଣେ ଅନୁକୋଣେ

ଶିବ ଏକ ତୀବ୍ର ଆତ୍ମ-ଅନୁଭବ। 


ଜଟା ବ୍ୟାପ୍ତ କୋଟି ଆକାଶଗଙ୍ଗାରେ

ପାଦ ଯା ମିଳେନା କାହିଁ ପାତାଳରେ,

ଆକାର ଦେବାକୁ ଅସମ୍ଭବ ଯେଣୁ

ତେଣୁ ସେ ପୂଜିତ ଲିଙ୍ଗ ସ୍ୱରୂପରେ। 


ମସ୍ତକରେ ଶୋଭେ ଶୀତଳ ଚନ୍ଦ୍ରମା

ଭୂତ ପ୍ରେତ କରୁଥାନ୍ତି ପରିକ୍ରମା,

କୋପେ ବର ତପେ ବର ପ୍ରଦାୟକ

ଭକ୍ତି ବିଗଳିତ ହୃଦର ଗାରିମା। 


ଦେବତା ଅସୁର ପଶୁ ଓ ମନୁଷ୍ୟ

ସଭିଙ୍କର ସେ ଯେ ପରମ ଉପାସ୍ୟ,

ମୁନ୍ଦେ ଜଳ ବେଲପତ୍ର କେଇଟାରେ

ହୁଅନ୍ତି ସନ୍ତୁଷ୍ଟ ତେଣୁ ଆଶୁତୋଷ। 


ସ୍ମଶାନ ଯାହାର ସାଧନ ନିଳୟ

ଅମାବାସ୍ୟା ପୂର୍ବ ରାତ୍ରି ଯା'ର ପ୍ରିୟ,

ଆଲୋକ ଐଶ୍ୱର୍ଯ୍ୟ ଭୁବନେ ବିତରି

ନିସ୍ୱ କିନ୍ତୁ ସଦା ଆତ୍ମ-ଜ୍ୟୋତିର୍ମୟ। 


ଅଦୃଶ୍ୟରୁ ଦୃଶ୍ୟମାନ ଏ ଜଗତ

ସମସ୍ତ ବ୍ରହ୍ମାଣ୍ଡ ଶିବ ପରିବ୍ୟାପ୍ତ,

କାଳର ପ୍ରଥମ ରାତ୍ରିଠାରୁ ସେ ଯେ

ଜଗତର ଶେଷ ସକାଳ ପର୍ଯ୍ୟନ୍ତ। 


ତୃତୀୟ ନୟନ ଯୋଗାନଳ ସମ

ଜାଳିଦିଏ ସବୁ ଲୋଭ ମୋହ କାମ,

ଗୁରୁ ରୂପେ ଅବତରି ଏ ମର୍ତ୍ତ୍ୟରେ

ହରି ନ୍ୟନ୍ତି ଯେତେ ଅଜ୍ଞାନର ତମ। 


ଚତୁର୍ଦ୍ଦଶୀ ରାତ୍ରି ଆଜି କୃତ୍ୟ କୃତ୍ୟ

ହୋଇ ଶିବ ମହାନାମ ସହ ଯୁକ୍ତ,

ଅନ୍ଧାର ତା ପାଇଁ ଆଶୀର୍ବାଦ ସାଜେ

ଶିବ ଚିନ୍ତନର ହୁଏ ସେ ପ୍ରବୃତ୍ତ। 


ଅଖଣ୍ଡ ବିଶ୍ବାସ ଦୀପ ଜଳି ଉଠୁ

ତାମସ ଆକାଶେ ଜ୍ଞାନ ସୂର୍ଯ୍ୟ ଫୁଟୁ,

ଶିବ ଶିବ ରବେ କମ୍ପୁ ଭୂମଣ୍ଡଳ

ଚିନ୍ତା ଚେତନାରେ ଶିବତ୍ୱ ପ୍ରକଟୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract