STORYMIRROR

sushama Parija

Inspirational

3  

sushama Parija

Inspirational

ଶେଷ ଉପଦେଶ

ଶେଷ ଉପଦେଶ

2 mins
13.8K


ହେ ମୋର ଇପ୍ସିତ !

ମୋ ତୃତୀୟ ପିଢିର ପ୍ରଥମ ପୁରୁଷ !

ବହୁ ପ୍ରତୀକ୍ଷିତ ଅସୀମ ଆନନ୍ଦ ତମେ

ଆମ ଅନାଗତ ଭବିଷ୍ୟତର କର୍ଣ୍ଣଧାର ,

ତମ ଓଠରେ ଖେଳେ ଉଦୟ ସୂର୍ଯ୍ୟଙ୍କ ଆଭା,

ତମ କୁନି କୁନି ଆଖିରେ ଚିକ୍ ମିକ୍ କରେ ପୂର୍ଣିମାର ଜହ୍ନ,

ତମ ନିଷ୍ପାପ ହସରେ ଆଲୋକିତ ହୁଏ ଆମ ଜୀବନ,

ତମ କୁନି କୁନି ହାତ ଗୋଡ ହଲାରେ ଚହଲି ଯାଏ ଆମ ଘର,

ଆମ ସକାଳ ହୁଏ ତମ କୁଆଁ କୁଆଁ କାନ୍ଦଣା ଶବ୍ଦରେ

ଆଉ ରାତି ହୁଏ ତମ ନିଦୁଆ ଆଖିର କୁନି ପଲକରେ ।।

କାଲି ତମେ ବଡ ହେବ , ଠୁକୁ ଠୁକୁ ପାଦ ପକେଇ ଚାଲି ଶିଖିବ ,

ଆମ କାଖ , କୋଳ ଛାଡି ଭୂମି ଛୁଇଁବ , ଆପଣା ପାଦରେ,

ସମୟର ଢେଉରେ ବସି ପାରି ହୋଇ ଯିବ ଶୈଶବ,

କୈଶୋର, ତାରୁଣ୍ୟ ଆଉ ପାଦ ଦେବ ଆଦ୍ୟ ଯୌବନରେ ।।

ସେତେବେଳକୁ ହୁଏତ ଜେଜେମା ନଥିବେ କହିବାକୁ ,

ତଥାପି ଥରେ ପଢି ନେବ ମୋର ଏଇ ସତର୍କ ବାଣୀକୁ,

ମୋ ବାବୁରେ !

ସବୁବେଳେ ମନେ ରଖିବ ତମକୁ ଜନ୍ମ ଦେଇଥିଲେ ଜଣେ ନାରୀ,

ତମକୁ କୋଳେଇ କାଖେଇ , ତେଲ ଲଗାଇ ତମ ହାତ ଗୋଡକୁ

ସଳଖ କରିଥିଲେ ଜଣେ ନାରୀ, ତମ ହାତରେ ରାକ୍ଷୀ ବାନ୍ଧି , ଟୀକା ଲଗାଇ

ତମର ଶୁଭ ମନାସି ଠାକୁରଙ୍କୁ ପ୍ରାର୍ଥନା କରିଥିଲା ଜଣେ ନାରୀ ,

ତମ ହାତ ଧରି ଜୀବନ ଯାତ୍ରାରେ ତମ ପାଦ ରେ ପାଦ ମିଳାଇ

ତମ ଦୁଃଖରେ ଦୁଃଖୀ ଆଉ ସୁଖରେ ସୁଖୀ ହେଉଥିବା ମଣିଷଟି

ମଧ୍ୟ ଜଣେ ନାରୀ , ତେଣୁ ମନେ ରଖ ହେ ମୋର ଉତ୍ତର ପୁରୁଷ !

ନାରୀକୁ ଅସମ୍ମାନ କରିବୁ ନାହିଁ , ନାରୀକୁ ଖେଳନା ବୋଲି ଭାବିବୁ ନାହିଁ,

ନାରୀ ହସିଲେ ଦେବତା ହସିବେ , ଆଶିଷର ଧାରା ଢାଳି ଦେବେ ,

କିନ୍ତୁ ନାରୀର ଟୋପାଏ ଲୁହ ରେ ସ୍ଵର୍ଣ୍ଣମୟୀ ଲଙ୍କା ବି ଜଳି ଯିବ,

ବିତ୍ତ ଶାଳୀ ,ପରାକ୍ରମୀ , ଯୁଯୁତ୍ସୁ କୌରବଗଣ ବି ନିପାତ ହୋଇ ଯିବେ,

ନାରୀଟି ଏ ନାରାୟଣୀ ହୋଇ ପାରେ ,ମହାକାଳୀ ମଧ୍ୟ ହୋଇପାରେ ,

ତେଣୁ ନାରୀକୁ ସ୍ନେହ ଶ୍ରଦ୍ଧା କରିବୁ , ଉଚିତ୍ ସମ୍ମାନ ଦେବୁ , ଦେଖିବୁ

ଦରକାର ହେଲେ ନାରୀଟିଏ ତୋ ପାଇଁ ଜୀବନ ଦେବାକୁ ବି କୁଣ୍ଠିତ ହେବନାହିଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational