ଶେଷ ପ୍ରଶ୍ନ ତୁମକୁ
ଶେଷ ପ୍ରଶ୍ନ ତୁମକୁ
ତୁମେ ଥିଲ ସମସ୍ତଙ୍କ ଠୁ ଭିନ୍ନ
ସ୍ଥିତଧୀ, ଦରଦୀ ମଣିଷଟିଏ
ଯିଏ ମାନବତାର ମୂଲ୍ୟ ବୁଝିଥିଲା
ଶୈଶବରେ ଧୂଳି ଖେଳ ବେଳେ
କାହା ଦେହରେ କ୍ଷତ ଟିଏ ହେଲେ
ତୁମ ଆଖି ରେ ଲୁହ ଆସୁଥିଲା,
ଗାଆଁ ରେ ଖୁବ୍ ନିକଟରୁ ଦେଖିଥିଲ
ଦାରିଦ୍ର୍ଯର ଯନ୍ତ୍ରଣା ଆଉ ଅସହାୟତାକୁ,
ଗୌତମ ବୁଦ୍ଧଙ୍କ ଭଳି ବ୍ୟସ୍ତ ,ବ୍ୟଥିତ ହୋଇ
କହୁଥିଲ, ଏମାନଙ୍କୁ ଏମିତି ମରିବାକୁ ଦେବିନି ମୁଁ ।
ଏଇଠୁ ତିଆରିବି ସ୍ୱର୍ଗ ସେମାନଙ୍କ ପାଇଁ,
ହସିବ ମୋ ଗାଆଁ, ମୋ ମାଆ, ମୋ’ ମାଆ ମାଟି
ଆଉ ମୋ’ ମାଆ ମାଟିର ସନ୍ତାନ ମାନେ।।
ମାନବ ସେବା ଥିଲା ତୁମ ଜୀବନର ବ୍ରତ ,
ବାଲ୍ୟ କାଳରୁ ତୁମର ଲକ୍ଷ୍ୟ ଥିଲା
ଡାକ୍ତର ହେବି, ଜନ ସେବା କରିବି।।
ଉତ୍କଟ ଦାରିଦ୍ର୍ଯ କି ମଫସଲ ଗାଆଁ ର
ଅସୁବିଧା ମଧ୍ୟ ତୁମକୁ ତିଳେ ହେଲେ ବି
ବିଚ୍ୟୁତ କରି ପାରିନଥିଲା ତୁମ ଲକ୍ଷ୍ୟ ପଥରୁ,
କଟକର ନିପଟ ମଫସଲିଆ ଗାଆଁ ରୁ ତୁମେ
ଉଡାଣ ଆରମ୍ଭ କରି, ଡାକ୍ତର ହୋଇ
ଅକ୍ଳେଶରେ ପହଞ୍ଚି ଥିଲ ବ୍ରହ୍ମପୁରର
ମହାରାଜା କୃଷ୍ଣଚନ୍ଦ୍ର ଗଜପତି
ମେଡିକାଲ କଲେଜ ଓ ହସ୍ପିଟାଲରେ ।।
ପାହାଚ ପରେ ପାହାଚ ଅତିକ୍ରମ କରି
ସଫଳତାର ଶୀର୍ଷକୁ ଯାଇ ଗତବର୍ଷ
ତୁମେ ଆମକୁ ନେଇ ପହଞ୍ଚିଥିଲ ଦିଲ୍ଲୀ
ବଡ ଡାକ୍ତର ହୋଇ ଦିଲ୍ଲୀ ହସ୍ପିଟାଲରେ ।।
ଭୀମଭୋଇଙ୍କ ଭଳି ଜଗତ ଉଦ୍ଧାର କରୁକରୁ
ତୁମ ଉପରେ କେମିତି କେଜାଣି ସେଦିନ
ଅଦୃଶ୍ୟରୁ ଖସି ପଡିଲା ଶତ୍ରୁର ତୀକ୍ଷ୍ଣ ଖଡଗ ,
ତୁମେ କରୋନା ଆକ୍ରାନ୍ତ ହୋଇ ଶଯ୍ୟା ଶାୟୀ ହେଲ,
ଦିଲ୍ଲୀର ରାଜୀବଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ,
ଆଉ ମୁଁ, ତୁମରି ପ୍ରାଣପ୍ରିୟା ପତ୍ନୀ , ବାଧ୍ୟ ହେଲି
ଆମ ପ୍ରେମର ଏକମାତ୍ର ସନ୍ତକ ଆମ ଝିଅକୁ ଧରି
ଓଡିଶାକୁ ଫେରି ଆସିବା ପାଇଁ ।।
କାଇଁ ଥରେ ହେଲେ କହିଲ ନାହିଁ ତ ,
ପ୍ରିୟେ ! ଏଇ ଆମର ଶେଷ ଦେଖା ବୋଲି,
ଏଠି ମୁଁ କିମ୍ସ କୋଭିଡ୍ ହସପିଟାଲ୍ ରେ ବନ୍ଦୀ,
ଜାଣେନା ଆମ ଝିଅ ଏଇଠି କୋଉ ଶଯ୍ୟାରେ ବନ୍ଦୀ,
ହେଲେ, ତମେ ?
ମୁହୂର୍ତ୍ତଟିଏ ମତେ ପାଖରୁ ଛାଡୁନଥିବା
ମୋର ପତିପରମେଶ୍ଵର !
କେମିତି ଆମକୁ ଅଥଳ ସାଗର ମଝିରେ
ଏକା ଛାଡି ଚାଲିଗଲ କେଉଁ ଅଫେରା ରାଜ୍ୟକୁ?
କେଉଁ ଅଭିମାନରେ ଶେଷ ଦେଖା ବି ଦେଲ ନାହିଁ?
ସେଇ ପରଦେଶରେ ହଜିଗଲ,
ଲୀନ ହୋଇଗଲ ପଞ୍ଚଭୂତରେ?
କେମିତି ବଞ୍ଚିବି ମୁଁ, କେମିତି ବଞ୍ଚିବ ଆମ ଝିଅ ?
କେମିତି ? କେମିତି? କେମିତି ?
ଥରେ ହେଲେ ତ କୁହ ........କୁହ ନା’ ...
( ଆମ ବାଙ୍କୀ ମାଟିର ଗର୍ବ ଆଉ ଗୌରବ କରୋନା ଯୋଦ୍ଧା ସ୍ୱର୍ଗତ ଡାକ୍ତର ଶ୍ରୀ ଅଶ୍ୱିନୀ କୁମାର ପ୍ରତାପଙ୍କ ସ୍ମୃତିରେ ଦିବଂଗତ ଆତ୍ମାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି )