ଶବ୍ଦ
ଶବ୍ଦ
ଶବ୍ଦ ତ ନିଶବ୍ଦ ଥିଲା
କିନ୍ତୁ ତୁମ ମଧୁର କଣ୍ଠରେ
ଶବ୍ଦ ସତେ ଜୀବନ ପାଇ ଗଲା ।
ତୁମର ପଦିଏ କଥାରେ ସତେ
ଶିମିଳିପାଳ ଜ୍ୱଳନ୍ତ ଅଗ୍ନିରେ
ବର୍ଷାର ଶୀତଳ ମଲମ ଲଗାଇ ଦେଲା ।
ଶବ୍ଦର କି ନିଜସ୍ୱ ମାନେ ଥାଏ ?
ଶବ୍ଦର ତ କିଛି ବି ନଥାଏ
ତଥାପି, ଶବ୍ଦ କେତେ ଶକ୍ତିଶାଳୀ
ଘଡିକରେ ଦୋହଲାଇ ପାରେ
ରାଜ ସିଂହାସନ,
ଶବ୍ଦ କେବେ ଭରି ଦିଏ
ଶୁଷ୍କ ହୃଦୟେ ପ୍ରେମର ଜୀବନ ।
ଶବ୍ଦ କେବେ ଭାଙ୍ଗି ଦିଏ,
ଜତନରେ ବନ୍ଧା ଏକ ନୀଡ,
ଶବ୍ଦ କେବେ ମଳୟ ପବନ
ଆଉ କେବେ କାଳ ବୈଶାଖୀର ଝଡ ।
ଶବ୍ଦ ଜୋଡେ ସମ୍ପର୍କର ଅତୁଟ ବନ୍ଧନ,
ଶବ୍ଦ କେବେ ଅବୁଝା ରହି ଗଲେ
କଥା ବି ବ୍ୟଥା ଦେଇ ଯାଏ
ଜଳି ଯାଏ ସମ୍ପର୍କର ନନ୍ଦନ କାନନ ।
ସଂସାରର ଅଭିଧାନେ
ଭରି ଅଛି ଶବ୍ଦ ଅସୁମାରୀ
ବାଛି ନିଅ ଗୋଟି ଗୋଟି ଶବ୍ଦ
ଶବ୍ଦ ସମୁଦ୍ରର ସାମୁକାରୁ ମୁକ୍ତା ପରି,
ପ୍ରେମର ରସରେ ଭିଜାଇ
କୋମଳ କଣ୍ଠେ ପରଶି ଦିଅ
ଦୁନିଆର ପଙ୍ଗତରେ
ବାନ୍ଧି ନିଅ ସଂସାରକୁ ଅତୁଟ ଡୋରୀରେ ।