STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଶୈଶବ ସରଣୀ

ଶୈଶବ ସରଣୀ

1 min
385


ହାଏ ରେ ଶୈଶବ 

କୁଆଡ଼େ ଲୁଚିଗଲ 

କିନ୍ତୁ ମନ ମଗଜରେ ବେଶ୍ ଖେଲିବୁଲ

ବେଳେ ଅବେଳେ 

ରାସ୍ତାରେ ଛକରେ ପାର୍କରେ ଭେଟହେଲେ

ସ୍କୁଲ ଯିବାବେଳର କୁଣ୍ଠିତ ମୁଖବିନ୍ୟାସ

ଫେରିଲା ବେଳର ସ୍ଵାଧୀନ ସ୍ମିତହାସ୍ୟ 

ଟାଣି ନେଇ ଯାଏ ମୋତେ

ସେହି ଅଫେରା ଅତୀତର

ସୁବର୍ଣ୍ଣଯୁଗ ହାସ୍ୟ ବିନୋଦର

ଶୌଶବ ସରଣୀର 

ଧୂଳି ଧୂସରୀତ ଗନ୍ତାଘର ।


ମିଠା ଖଟା କାନକୋଳିର ପସରା

କଞ୍ଚା ସାଗୁଆ ସହିତ

ପାଚିଲା କଳାଘୁମର 

ପୁଞ୍ଜା ପୁଞ୍ଜା ଡାଳରେ ନେସରା

ବାଉଁଶ ବାଡି ତଳ ଆଡ଼େ

କଣ୍ଟା ବାଢରେ ଆସରା

ତୋଳୁ ତୋଳୁ ସାବଧାନେ

 ଫୋଡିଯାଏ କଣ୍ଟା ମୁନିଆଁ

ମା' ଲୋ ମରିଗଲି କହି 

ଆଉ ମୁଠେ ବେଗି ବେଗି ନେଇଆଁ ।


ଦାସ ଘର ବାଡ଼ି ବରକୋଳି

ମୂଷା ଘର ମଞ୍ଜିଆ 

ପାଞ୍ଚପାଇକା ପୋଖରୀ ହୁଡ଼ାରେ

କେଟାସ ପରି ପଥୁରିଆ

ଗେଣ୍ଡା ଘର ଅଗଣାରେ 

ଫଳେ ଭୁରୁକୁଣ୍ଡା ଟକୁଆ

ରାଇଁଲେ ପାଚିଲେ କିନ୍ତୁ

ଭାରି ସୁଆଦିଆ

ବାୟାଣୀ ତାଡ଼କା ବୁଢୀ

ଜଗିଥିବ ଠେଙ୍ଗା ଧରି ଆଗୁଆ

ଖରାବେଳେ ତା' ଆଖିରେ ଦେଇ ଧୂଳି

ତାଟି ଡ଼େଇଁ 

ଧଡ଼କା ତଳେ ଗଳି

ତା'ର ଅଳପେଇସା କଟୁଗାଳି

କିଛି ଶୁଭୁନଥିଲା 

ଶୀତଳ ଚନ୍ଦନ ଶଙ୍ଖୋଳି

ଆଜି କିନ୍ତୁ ମନ ଖୋଜେ 

ଶୁଣିବାକୁ ପଦେ ଅଧେ ଶବ୍ଦଗୁଳି ।


ବଇଁଚକୋଳିର ମିଠା ମହକ

କୋଷ୍ଟ କେନାଲ ବଣବୁଦା 

ଡେଇଁ ଖୋଜି ମସ୍ତି ପାବକ ।


ରାଇଲକୋଳି ଗୋଟେ ଗୋଟେ 

ପାଟିରେ ପକେଇ ଦାନ୍ତ ତଳେ

ଦବେଇ ବାର ଖୁସି ଅନେକ ।


ଆଙ୍କକୋଳିର କାଳିଆ ଦେହ

ତୋଳିଲେ 

ପାଟିରେ ପୁରେଇ ଖାଇଲେ 

ମିଳେଇଯାଏ 

ନାଲି ନାଲି ରକ୍ତିଆ ସୁଅ

ନାଲି ଟହ ଟହ

 ଦିଗଧାକୋଳି

ଖାଇଲେ ମିଠା ସରପୁଳି

ଜିଭ ଦିଶୁଥାଏ ଅଶନା କାଳି ।



ଆହୁରି କେତେ କୋଳି

ପାଟିରେ ସୁଆଦ ଭଳିକି ଭଳି 

ଖଜୁରୀ କୋଳି 

ନୁନ୍‌ ନୁଣିକା କୋଳି

ବଉଳକୋଳି

ଜାମୁକୋଳି

ପିନ୍ଛାକୋଳି 

ସବୁର ସୁଆଦ ଜିଭ ଆଜି ବି

ବାରି ପାରୁଛି 

ଏକ ଆରକୁ ବଳି ।


ହାଏ ରେ ଶୌଶବ ସରଣୀ

ହୀରକ ଛଟାରେ ମାୟାବିନୀ

ଭାବିଲେ 

କୁହୁକୁନି ଅଞ୍ଜନୀ

ଆକୁଳିତ ପ୍ରାଣେ ସିଞ୍ଜିଯାଏ 

ସୁଧା ସଞ୍ଜିବନୀ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational