ଶାସକ
ଶାସକ
ଶାସକ ଅଟଇ ମର୍ତ୍ତ୍ୟମଣ୍ଡଳରେ ଈଶ୍ବରଙ୍କ ପ୍ରତିନିଧି
ପରଜା ଯେତେକ ତାହାଙ୍କର ଅଟନ୍ତି ସନ୍ତାନ ସନ୍ତତି
ଶାସକ ଠିଁ ଈଶ୍ବରଙ୍କ ପ୍ରତିଛବି ହୁଅଇ ପ୍ରତିଫଳିତ
ଶାସକ ହିଁ ନ୍ୟାୟ-ସତ୍ଯ-ଧର୍ମର ରକ୍ଷକ ପ୍ରତିପାଳକ ।
ଶାସନ ବ୍ୟବସ୍ଥାରେ ଯେବେ ଭ୍ରଷ୍ଟାଚାର ଥାପଇ ଆସନ
ବିଳମ୍ବେ ଅବା ତ୍ବରିତେ ଭାବମୂର୍ତ୍ତି ଦିଶଇ ନିଷ୍ପ୍ରଭ ମଳିନ
ବଦଳଇ ସତ୍ଯ ଧର୍ମ ନ୍ଯାୟ ନୀତି ନୈତିକତାର ପରିଭାଷା
ପ୍ରଜାମଣ୍ଡଳେ ଘୋଟଇ ଦୁର୍ଗତି ରାଇଜେ ପଡଇ ଦୁର୍ଦ୍ଦଶା ।
ରହିଥାନ୍ତି ବେଢ଼ି କୁଟିଳ କପଟୀ କୁଚକ୍ରୀ ଚାଟୁକାରଗଣ
ଆପଣା ସ୍ବାର୍ଥର ଅନୁକୂଳେ ଅର୍ଥର କରନ୍ତି କଦର୍ଥ ବ୍ଯାଖ୍ଯାନ
ରାଜକୋଷ ଲୁଣ୍ଠି ନେଇ ନୀଚ୍ଚ ନ୍ଯସ୍ତ ସ୍ବାର୍ଥ କରନ୍ତି ସାଧନ
ବୋଲାଇଥାନ୍ତି ଜନମୁଖେ ଆପଣାକୁ ସମ୍ଭ୍ରାନ୍ତ ମହାମାନ୍ଯ ।
ବ୍ଯକ୍ତି କୈନ୍ଦ୍ରିକ ପ୍ରଚାର ସର୍ବସ୍ବ ଚାଲଇ ନିରଙ୍କୁଶ ଶାସନ
ଅଚିରେ ଶାସକର ବିସ୍ମର ହୁଅଇ ସକଳ ଧର୍ମ ନୀତି ଜ୍ଞାନ
ଗାଦି ରକ୍ଷା ଲାଗି ସେବେ ନିଅଇ ମିଥ୍ଯାଚାରର ଆଶ୍ରୟ
ପାରିଷଦବର୍ଗର ନିଷ୍ଠା ରାଇଜର ହିତେ ସାଜେ ଗଳଗ୍ରହ ।
ରାଇଜର ଚତୁର୍ଦ୍ଦିଗେ ଦିଶୁଥାଏ ଗୋଲାପି ଚିତ୍ର ରମଣୀୟ
ଚିତ୍ରପଟ୍ଟେ ଲୁଚିଯାଏ ଅକ୍ଷମଣୀୟ ତୃଟି ବିଚ୍ଯୁତି ଯାବତୀୟ
ଶାସକର ଦୋଷ ଦୁର୍ବଳତା ସ୍ଥାଣୁତା ଦର୍ଶାଏ ଯେଉଁ ଜନ
ରାଜଦ୍ରୋହ ଅପରାଧେ ହୁଅଇ ଦଣ୍ଡିତ ନିନ୍ଦିତ ଅକାରଣ ।