ମୂଲିଆ ବନ୍ଧୁ
ମୂଲିଆ ବନ୍ଧୁ
ମୂଲ ଲାଗି ମୁହିଁ ଦିନ କାଟୁଅଛି
ମୂଲିଆ ବନ୍ଧୁଟେ ହୋଇ
କର୍ମ ପଥେ ସଦା ବ୍ୟସ୍ତ ରହୁଅଛି
କର୍ତ୍ତବ୍ୟର ଦ୍ୱାହି ଦେଇ l
ମୂଲିଆ ବୋଲି ମୋ ଜମା ଦୁଃଖ ନାହିଁ
ବଞ୍ଚିଛି ମୁଁ ସ୍ୱାଭିମାନେ
ଭାଗ୍ୟ ସାଥେ ଲଢ଼ି କରମ କରୁଛି
ଲୋଭ ନାହିଁ କାହା ଦାନେ l
ହେଉ ଝାଂଜିଖରା ହେଉ ଝଡିବର୍ଷା
ଅବା ହାଡ଼ଭଙ୍ଗା ଶୀତ
ସକାଳରୁ ସଞ୍ଜ ସଞ୍ଜରୁ ସକାଳ
କର୍ମେ ଥାଏ ମୁହିଁ ରତ l
ତେଲ ଲୁଣର ଏ ଅଭାବି ସଂସାରେ
ଦହଗଞ୍ଜ ହୋଇ ଚଳେ
ଦୁଃଖ ଯନ୍ତ୍ରଣାକୁ ମନ ତଳେ ଚାପି
ବହୁ କୁଟୁମ୍ବକୁ ପାଳେ l
ହୃଦୟଟା ମୋର ବିଶାଳ ଅଟଇ
ନୁହଇଁ ମୁଁ ସ୍ୱାର୍ଥପର
ଦୁନିଆଁ ଦାଣ୍ଡରେ ସ୍ନେହ ଶ୍ରଦ୍ଧା ବାଣ୍ଟି
ସଭିଙ୍କୁ ଭାବେ ନିଜର l
ମାନ ସନମାନ କେବେ ମୁଁ ଲୋଡେନି
ବିସ୍ତାରି ମାୟାବି ଜାଲ
କର୍ମକ୍ଷେତ୍ରେ କେବେ ହେଳା କରେନାହିଁ
ମିଳୁ ପଛେ ସ୍ୱଳ୍ପ ମୂଲ l
ତଥାପି କାହିଁକି ଭଲ ପାଆନ୍ତିନି
ଏ ସମାଜେ କେହି ମୋତେ
ଇତର ଭଳିଆ ପରିହାସ କରି
ଭାଉ ଖାଉଥାନ୍ତି କେତେ l