ଶାଶୁ ବୋହୂ କଳି
ଶାଶୁ ବୋହୂ କଳି
ଶାଶୁ କହୁଛି ବୋହୂଟି ମୋର
ହାତୁ ପାଇଟି ନେଵ,
ଗୋଡ଼ ଉପରେ ଗୋଡ଼ ଥୋଇକି
ମଣିଷ ଶାନ୍ତି ହେବ।
ସକାଳୁ ଟିକେ ଚାହା ଦିଅନ୍ତା
ମଜାରେ ପିଉଥାନ୍ତି,
ମୋ ଗୋଡଧୂଆ ପାଣି ପିଅନ୍ତା
ମନେ ମୁଁ ହସୁଥାନ୍ତି।
ଶୋଇଲା ଶେଯେ ତେଲ ରସୁଣ
ଗୋଡ଼ରେ ମାରନ୍ତାକି,
ହେଲେ ସେ କହେ ମୋତେ ଛୁଇଁଲେ
ଲାଗିବ ତାକୁ ବାନ୍ତି।
ବୋହୂଟି କିନ୍ତୁ କହୁଛି ଶାଶୁ
ରଖେଇ ଦେଉ ନାହିଁ,
ବସିଲେ ଅବା ଛିଙ୍କିଲେ ଟିକେ
ଗଣ୍ଠି କରୁଛି ସେହି।
ନାଇଟି ସଟ୍ ପାରୁନି ପିନ୍ଧି
ଏଇ ବୁଢିଟା ପାଇଁ,
ସଜେଇ ହେଲେ ଶବାଖାଇଟା
ଜଳି ମରୁଛି କାହିଁ?
ଟିଭି ଦେଖିଲେ କହୁଛି ବୁଢି
ଲିପ୍ଷ୍ଟିକ୍ରେ କୁହେ,
ମୋବାଇଲ୍ରେ ଗପିଲା ବେଳେ
ଗାରୁଗାରୁ ସେ ହୁଏ।
ତା'ପୁଅ ସହ ବଜାର ଛକ
ବୁଲେଇ ଦେଉ ନାହିଁ,
ଗର୍ଜନ କରେ ଘରକୁ ଯେବେ
ଆସେ ଧରମ ଭାଇ।
ଏମିତି ନିତି ପାଲା ଲାଗିଛି
ମୋହରି ଘରେ ଭାଇ,
ମାଆର ହେବି କି ସ୍ତ୍ରୀର ହେବି
ଜାଣି ପାରୁନି ମୁହିଁ।
ଅନେକ ବାର ଲାଗୁଛି ଯୁଦ୍ଧ
ଯାଆନ୍ତି ଯାବ ପଡ଼ି,
ଜଣଙ୍କ ହାତେ ବେଲଣା କାଠି
ଜଣେ ତ ଝାଡୁ ଧରି।
ଚୁଟି ଘୋଷଡା ଘୋଷଡି ବେଳେ
ମୁଁ ଯେବେ ପଶିଯାଏ,
ଝାଡୁ ବେଲଣା କାଠି ପାହାର
ମୁଁ କିନ୍ତୁ ସବୁ ଖାଏ।
ଏମିତି ଦିନେ ହେଲା ଝଗଡ଼ା
ବାସନ ଫିଙ୍ଗା ହେଲା,
ଗୋଟିଏ ଷ୍ଟିଲ୍ ବାସନ ଆସି
ମୋ ମୁହେଁ ପଶିଗଲା।
ଦି'ଦିନ କାଳ ଭୋଗିଲି କଷ୍ଟ
ମେଡ଼ିକାଲରେ ରହି,
କାଟି ଡାକ୍ତର କଲେ ବାହାର
ମନରୁ ଭୁଲୁ ନାହିଁ।
ମାଆକୁ ପଦେ କହିଲେ ହେଲି
ମାଇପ ବୋଲକରା,
ସ୍ତ୍ରୀକୁ ପଦେ ଯଦି କହିବି
ହେବି ମୁଁ ଘରୁ ତଡ଼ା।
କେତେ ଏମିତି ବାଲାନ୍ସ କରି
ଘରେ ଚଳିବି କୁହ,
ଆଜି ଭାବୁଛି ଭୁଲ୍ ହୋଇଛି
ହୋଇକି ଗୋଟେ ପୁଅ।
ଏ କଳି ଯୁଗ ବଡ଼ ବିପଦ
ପୁରୁଷ ଜାତି ପାଇଁ,
ମହିଳା ଶକ୍ତି ଏବେ ମାତିଛି
ଗେରସ୍ତ ବଧ ପାଇଁ।
ଘର ପାଇଟି କରୁଛି ସ୍ଵାମୀ
ଭେନିଟି ସ୍ତ୍ରୀ କାନ୍ଧେ,
ପପୁ ବୋତଲ ଛୁଆକୁ ପେଇ
ସ୍ଵାମୀ ବିଚରା କାନ୍ଦେ।
ଧନ୍ୟ ହେ ବାବୁ ଦେଉଛ ସବୁ
ନାରୀ ମାନଙ୍କୁ ଯାଚି,
ସ୍ତ୍ରୀ ହୁକୁମ ମାନୁଛି ସ୍ଵାମୀ
ନିଇତି ମରି ବଞ୍ଚି।
ଶାଶୁ ଭୁଲୁଛି ନିଜର ସ୍ଥିତି
ବୋହୂ ବି ଭୁଲୁଅଛି,
ଯେ ପରକୀୟାପ୍ରୀତି ଘଟଣା
ଅନେକ ଘଟୁଅଛି।
ଯେଉଁ ନାରୀଟି ସୃଷ୍ଟି କାରିଣୀ
ଜନନୀ,ଭଗ୍ନୀ,ଜାୟା
ସେହି ନାରୀର ମାୟାରେ ପଡ଼ି
ପୁରୁଷ ହୁଏ ବାୟା।
କହି ରଖୁଛି ସମସ୍ତ ସ୍ତ୍ରୀ
ନୁହଁନ୍ତି କେବେ ଭୁଲ୍ ,
ଯେ ମହିୟସୀ ତାଙ୍କୁ ସମାଜ
ଭୁଲେନା ବିଲ୍କୁଲ୍।