ଅଧପେଟେ ହସ
ଅଧପେଟେ ହସ
ଆମ ଗାଆଁ ଧୂଷା ପେଟ କାବୁରିଆ
ସହିପାରେ ନାହିଁ ଭୋକ
ଟାଉଟାଉ ହୋଇ ଗେଫିବାରେ ସିଏ
ମହାରଥ ସର୍ବଭକ୍ଷ ।
ଗଲା ଦଶହରା ପୂଜା ଅବସରେ
ସାଙ୍ଗ ସାଥି ହୋଇ ମେଳି
ଯାଇଥିଲୁ ଆମେ କଟକ ଓ ପୁରୀ
ଭୁବନେଶ୍ବରକୁ ବୁଲି ।
ଅଟକିଲା ଗାଡି ବାଟରେ ମଝିରେ
କରିବାକୁ ଜଳଯୋଗ
ପରଶା ହୋଇଲା ପାଉଁରୁଟି ସହ
ଗିଲାସେ ଗରମ ଦୁଗ୍ଧ ।
ବିଳମ୍ବରେ ଖୋଜି ଆଣିଲା ବେଳକୁ
ଚିନି ମୋଡା ସବୁ ପୁଡା
ଗେଫି ସାରିଥିଲା କ୍ଷୀର ପାଉଁରୁଟି
ବିକଳା ଧୂଷା ବାପୁଡା ।
କ୍ଷୀରରେ ସଭିଏଁ ଗୋଳାଇ ଚିନିକୁ
ଖାଉଥିଲେ ରୁଟି ମିଠା
ରଡମଡ ଚିନି ଚୋବାଇ ପାକୁଳି
ଧୂଷା ମୁହଁ ଅଠା ଅଠା ।
ଗାମୁଛାକୁ ପାରି ହେଲା ଲମ୍ବ ଖମ୍ବ
ପିଟିଛାଟି ଭିଡିମୋଡି
ତାଟକା ହୋଇଲେ ସବୁ ସହଯାତ୍ରୀ
ବିଷମ ଧୂଷା ବେମାରୀ ।
ଖାଦ୍ଯ ପାଉଁରୁଟି ପାକେଟର କ୍ଷୀର
ହୁଏତ ବାସି ଦୂଷିତ
ଭୟେ ଫିଙ୍ଗିଦେଲେ ନଖାଇ ସଭିଏଁ
ଘେରିଗଲେ ଚାରିପଟ ।
ଡାକିଲେ ହଲାଇ ଉଠ ଧୂଷାଭାଇ
କିପରି ଲାଗୁଛି ଦେହ
ଧଡପଡ ହୋଇ ଉଠିକି କହିଲା
ଘାରେ ଟିକେ ଛାଇନିଦ ।
ଚିନିକୁ କ୍ଷୀରରେ ମଅଠେ ଗୋଳାଇ
ତୁମେ ଖାଉଥିଲ ରୁଟି
ପଛରେ ଚିନିକୁ ଚୋବାଇ ମୁଁ ପେଟେ
କରୁଥିଲି ଫେଣ୍ଟାଫେଣ୍ଟି ।
ଧୂଷାର ଏମନ୍ତ ସରସିଆ ବୁଦ୍ଧି
କୋଉଠି ଥୋଇବ କୁହ
ହସିପାର ତୁମେ ଦାନ୍ତ ଚିପିଚାପି
ମୁଚୁକୁନ୍ଦ ରଜାପୁଅ ।
ଲାଗିପାରେ ମିଛ ଶୁଣିବା ଲୋକକୁ
କଥାଟା ନିରାଟ ସତ
ଅଧାପେଟେ ହସ ଚାପିକି ଆମେ ତ
ଅବଶ୍ଯ ହତଚକିତ ।
