ମଦୁଆ ମର୍ଦ
ମଦୁଆ ମର୍ଦ
ଘୋଡ଼ା ମଦୁଆ ଆମ ରାଧୁଆ
ନିଇତି ମଦ ପିଏ,
ଯେତେ କହିଲେ ଅଝାଡୁଆଟା
କେବେ ବୁଝୁ ନ ଥାଏ।
ସକାଳୁ ନିତି ଯାଉଛି ଭାଟି
ଆସୁଛି ଢଳିଢଳି,
ସ୍ତ୍ରୀ ବେଙ୍ଗୁଲୀ ଯଦି କହୁଛି
ଦଉଛି ମାଡଗାଳି।
ଆଜି ବି ମଦ ନିଶାରେ ରାସ୍ତା
ମଝିରେ ପଡ଼ିଥିଲା,
ମାଈ କୁତି ବି ରାଧୁଆ ମୁହଁ
ଚାଟିକି ମୁତୁଥିଲା।
ଧୋଇଧାଇକି ବେଙ୍ଗୁଲୀ ତାକୁ
ଘରକୁ ଆଣୁଥାଏ,
ବାଡିପଡାକୁ ପାରିହବନି
କହି ସେ ଗାଳି ଦିଏ।
କହେ ରାଧୁଆ ଲୋ ମାଇକିନିଆ
ତୁ କହିବାକୁ କିଏ,
ମୋ ମଦ ପିଆ ପଇସା କ'ଣ
ତୋବାପା ଭାଇ ଦିଏ?
ମୋପଇସାରେ ମଦ ପିଉଛି
ପିଇବି ମନ ଭରି,
ଏଥର ଯଦି କହିବୁ ପଦେ
ତୋତେ ମୁଁ ଦେବି ମାରି।
ବାପା ସାଧୁଆ ମୋହର ଥିଲା
ମଦପିଇକି ମଲା,
ତା'ବାପା ଥିଲା ଯଦୁଆ ପୁଣି
ସିଏ ବି ପିଉଥିଲା।
ଏମିତି ବଂଶ ବୁନିଆଦି ମୋ
ମଦ ପିଇକି ମଲେ,
ଚୌଦ ପୁରୁଷ ମୋହର ନିତି
ମଦେ ଗାଧୋଉ ଥିଲେ।
ମଦ ପିଇଲେ ମରଦ ଯିଏ
ମଦ ନ ପିଏ ଗଧ,
ସେଇଥିପାଇଁ ମଦ ପିଇଲେ
ମୂର୍ଖ ବି ଗାଏ ବେଦ।
ବିନା ମଦରେ ଯାଉନି ବର
ଉଠୁନି ପୁଣି ଶବ,
ବିନା ମଦରେ ଆଜି ବି ନାହିଁ
ନାମ କୀର୍ତ୍ତନ ଭାବ।
ତେଣୁ ଦୋକାନେ ହସୁଛି ମଦ
ଜଗିଛି ସିକ୍ଯୁରିଟି,
ଦୁଧ କାନ୍ଦୁଛି ମୁଣ୍ଡ ବାଡ଼େଇ
ଜୀବନ ହେଲା ମାଟି।
ସେଲାଗି ଆମ ସରକାର ଯେ
ଖୋଲିଲେ ମଦ ଭାଟି,
ଯିଏ ସେ ବେଶୀ ବିକିବ ମଦ
ଦେବେ ଆର୍ଥିକ ଭେଟି।
ମଦୁଆ ଭତ୍ତା ଦେବେ ଆମକୁ
ଆଗକୁ ସରକାର,
ଆମେ ପିଇଲେ ରାଜ୍ୟ ରାଜସ୍ବ
ବଢୁଛି ବାରମ୍ବାର।
ଧନ୍ଯରେ ମଦ ତୁ ମକରନ୍ଦ
ଧନ୍ୟ ତୁ ଆଦିକନ୍ଦ,
ଚାଖେଣା ଖାଅ ମଜା ଉଠାଅ
ଆହା ପରମାନନ୍ଦ।
ଆସକାଫର୍ଟି ଘରଣୀ ମୋର
ଶାଳୀ ଖଜୁରୀ ତାଡି,
ଦାରୁ ମହୁଲୀ ଦେଶୀ ବିଦେଶୀ
ଠିକ୍ ପ୍ରେମିକା ପରି।
ଖଟି କରାଣ୍ଡି ଶୁଖୁଆ ଚଟ-
ପଟି ଚିକେନ କଷା,
ଚାଖଣା ନେଇ ପେକ୍ ଉଠାଅ
ସାଙ୍ଗକୁ ପାଖେ ବସା।
ମଦ ପୁରାଣ ଶୁଣି ବେଙ୍ଗୁଲି
ବେଏଗ୍ଟିଏ ଧରି,
କହିଲା ଆଜି ଯାଉଛି ଚାଲି
ତୋତେ ଏବେ ମୁଁ ଛାଡ଼ି।
ରାଧୁଆ ଏକ କାଠଫାଳିଆ
ଧରିକି ଠିଆ ହେଲା,
କହିଲା ଆଜି ରାଧୁଆ ହାତେ
ବେଙ୍ଗୁଲୀ ନିଶ୍ଚେ ମଲା।
ନିଜ ଜୀବନ ନେଇ ବେଙ୍ଗୁଲୀ
ଛକିଲା ଗୁହାଳରେ,
ଗୁହାଳ ପାଖେ ରଙ୍ଗନାନୀ ମୋ
ଏକ ଯେ କରୁଥିଲେ।
ରାଧୁଆ ରଙ୍ଗନାନୀକୁ ନିଜ
ସ୍ତ୍ରୀ ବେଙ୍ଗୁଲୀ ଭାବି,
ରଙ୍ଗ ନାନୀକୁ କାଠ ଫାଳିଆ
ପାହାର ଦେଲା ନାଦି।
ରଙ୍ଗ ଗେରସ୍ତ ଆସିଲା ଧାଇଁ
ଲାଗିଲା ସେଠି ପାଲା,
ଘୋଡ଼ା ମଦୁଆ ରାଧୁଆ କେଶ୍
ଖାଇକି ଜେଲ୍ ଗଲା।
ମଦପିଇବା ଆଉ ମିଳୁନି
ଅନ୍ଧାରୀ କୋଠରୀରେ,
ନିଶା ଛାଡିଲା ଏବେ ରାଧୁଆ
ବେଙ୍ଗୁଲୀଟିକୁ ଝୁରେ।
ଛିଃ ଛିଃ ଏ ମଦଟି ମନ୍ଦ
ମଦ ପିଇବି ନାହିଁ,
ମଦ ପିଇକି ଦୁର୍ଲ୍ଲଭ ପ୍ରାଣ
କାହିଁ ସାରିବି ଭାଇ ।
