ବଡବାପା ଓଳିଗୀ
ବଡବାପା ଓଳିଗୀ
(ରମ୍ୟ ରଚନା)
ଜନମା ତୁମ ଠିକ୍ ନାହିଁକି
ଉତ୍ପାତ ହେଉଅଛ,
କୋଉ ବାପାର ମୁଁ ବଡଭାଇ
ଓଳଗୀ କରୁଅଛ।
ଯାଅ ହେ ତୁମ ବୋଉକୁ ଆଗ
ଓଳଗୀ କରି ଆସ,
ବାପା ମାଆଙ୍କ ଠିକ୍ ନାହିଁ ତ
ପଡିଛ ମୋର ପଛ।
ଚିଡଉଥିଲ ବଡ଼ ବାପାଲୋ
ଘେର୍ ଘେର୍ କହି ,
ଏବେ ତ ମୋତେ ଓଳଗୀ ହୁଅ
ଅଲଜ୍ଯା ଭଳି ହୋଇ।
ପୁଉଣି ନାଲି ଆମ୍ବ କହୁଛ
ମତେ ଦେଖୁଛ ଯେବେ,
ମରୁନା କାହିଁ ସତ୍ଯାନାଶିଆ
ଉଗୁରି ହୁଅ ଏବେ।
ଏତେ ଗାଳି ମୁଁ ଦିଏ ତଥାପି
ହସୁଛ ଫେଁ ଫେଁ,
ମୋତେ ଚିଡ଼େଇ ମଜା ଉଠାଅ
ଲାଜ ନାହିଁକି ମୁହେଁ ?
ମୁଁ ହେଇଥିଲେ ସହି ନଥାନ୍ତି
କୂଅ ପୋଖରୀ ଦେଖି,
ଡେଇଁ ପଡନ୍ତି ନଚେତ୍ ମରି
ଯାଆନ୍ତି ଦେଇ ରସି।
କି ଘଡିସନ୍ଧି ଜନ୍ମ ତୁମର
ପାରୁନି ମୁହିଁ ଜାଣି,
କଳିଯୁଗର ଅଲଜ୍ଯା ଛୁଆ
ମୁହଁରେ ନାହିଁ ପାଣି।
ନାଆଁଟି ମୋର ଗଉରା ବୋଲି
କହିଲ ଦିନାକାତେ,
ଏ ଗଉରା କ'ଣ ଖାଉଚୁ
ମାଉଁସ ଯାଚି ଯେତେ।
ଷଣ୍ଢ ଭଳିଆ ରୁଣ୍ଡ ହେଇକି
କରୁଛ ପରିହାସ,
ଚାନ୍ଦିନୀପରେ ବସି ଝିଅଙ୍କୁ
ଆଖି ଯେ ମାରୁଅଛ।
ଗଉରା ବୁଢ଼ା ଗାଳିରେ ଟୋକା
ଆହୁରି କଲେ ଥଟ୍ଟା,
ଛକିକି ବୁଢ଼ା ଉପରେ ପୁଣି
ଫିଙ୍ଗିଲେ ଗୁଳି ଟେକା।
ଭାରି ତ ଚିଡା ଗଉରା ବୁଢ଼ା
ସହି ନ ପାରି ସିଏ,
ବାଡିଟି ଧରି ଟୋକାଙ୍କ ପଛେ
ରାଗେ ଗୋଡଉ ଥାଏ।
ଗୋଡଟି ମୋଡି ବୁଢ଼ା ପଡ଼ିଲା
ଲୁଙ୍ଗି ତା' ଖୋଲିଗଲା,
ଟିବଲ ପାଖେ ଲଙ୍ଗଳା ହୋଇ
ବୁଢ଼ା ତ ଗଡିଗଲା।
ଏ ଦୃଶ୍ୟ ଦେଖି ଝିଅ ବୋହୂ ଯେ
ହସିଲେ ଫେଁ ଫାଁ,
ଗଉରା ବୁଢ଼ା ଗାଳିରେ କିନ୍ତୁ
ଫାଟୁ ଥିଲା ଯେ ଗାଆଁ।
ଗାଁ ଚେଙ୍ଗେଡା ଟୋକା କେତୋଟି
ନେଇଗଲେ ତା' ଲୁଙ୍ଗି,
ଆଉ କେତେକ ମୋବାଇଲରେ
କରୁଥିଲେ ସୁଟିଙ୍ଗି।
ଫଟୋ ଉଠାଇ ଫେସବୁକରେ
କେତେକ ଦେଲେ ଛାଡ଼ି,
ପୁରା ଲଙ୍ଗଳା ଗଉରା ବୁଢ଼ା
ଛାଡୁଛି ଖାଲି ରଢି।
ବୁଢା ଦଉଡେ ଲଙ୍ଗଳା ହୋଇ
ଗାଳି ଯେ ଦେଉଥିଲା,
ଶହେ ଲୋକ ଯେ ଠିଆହୋଇକି
ଦେଖୁଥିଲେ ଏ ପାଲା।
ବୁଢ଼ା ଯାତରା ଦେଖି ପିଲାଏ
ମଜାଟି ନେଉଥିଲେ,
ଆଜିର ହେଡ୍ନିୟୁଜ ଏ ତ
ସଭିଏଁ କହୁଥିଲେ।
ଗାଆଁ ମୁରବୀ ଭାସ୍କର ବାବୁ
କାନେ ପଡିଲା କଥା,
ଗାଆଁରେ କିନ୍ତୁ ମିଟିଙ୍ଗ୍ ହେଲା
ଭୁଲ୍ ମାଗିଲେ ଟୋକା।
ଗାଆଁ ମୁରବୀ କହିଲେ ଆଗ
ଶୁଣ ଗଉରା ଭାଇ ,
ଏତେ ଚିଡିବା ଠିକ୍ ନୁହେଁ ତ
ବୁଢ଼ା ବୟସ ପାଇଁ।
ଆଜିକାଲି ଏ ଟୋକା କାହାକୁ
କେବେ ମାନନ୍ତି ନାହିଁ,
ଚିଡିଲେ ବେଶୀ ଚିଡେଇବେ ସେ
ମୂର୍ଖ ଅପର୍ତ୍ତି କହି।।
