ଶାଶ୍ଵତ ପ୍ରେମ
ଶାଶ୍ଵତ ପ୍ରେମ


ତୁମେ ପାଶେ ଥିଲେ ସବୁ ଋତୁ ମୋତେ
ଫଗୁଣ ଫଗୁଣ ବାସେ,
ତୁମ ପ୍ରଣୟରେ ନିଦାଘ ଝାଞ୍ଜିରୁ
ମଳୟର ବାସ୍ନା ଆସେ ।
ବାଦଲ ସନ୍ଧିରେ ତୁମେ ମୋର ଚାନ୍ଦ
ମୁଁ ତୁମର କୁମୁଦିନୀ,
ପ୍ରତୀକ୍ଷାର ଅର୍ଘ୍ୟ ଧରୁଥିବି ସଦା
କେବଳ ତୁମରି ପାଇଁ ।
ଘୁମନ୍ତ ଆଷାଢେ ତୁମେ କଳାମେଘ
ତଳକୁ ଥାଅ ଅନାଇ,
ପାଦରେ ନୁପୁର ବାନ୍ଧି ମୁଁ ମୟୂରୀ
ନାଚିବି ତୁମରି ପାଇଁ !
ନୀଳ ଗଗନରେ ତୁମେ ଦିବାକର
ଦେଇଥାଅ କେତେ ସୁଧା,
ପଙ୍କ ସରୋବରୁ ମୁହିଁ କମଳିନୀ
ପୀରତି ଡୋରିରେ ବନ୍ଧା ।
ତୁମେ ଦିଗ୍ ବଳୟ ବିସ୍ତାରିତ କାୟା
ସଜାଡି ଦେଇଛ ଯତ୍ନେ,
ପ୍ରୀତିସିକ୍
ତ ମୁହିଁ ନୀଳ ସବୁଜିମା
ଖେଳିଯିବି ତୁମେ ବକ୍ଷେ ।
ତୁମେ ବେଳାଭୂମି ପ୍ରଶାନ୍ତ ବକ୍ଷରେ
ଥିବ ଯୁଗ ଯୁଗ ଧରି,
ମୁଁ ଯେ ନୀଳ ଢେଉ ତୁମ ପ୍ରଣୟରେ
ତୁମ ବକ୍ଷର ଲହରୀ ।
ତୁମେ ସମାହାର ସୁନେଲି ସ୍ବପ୍ନର
ଆସୁଥିବ ଯାମିନୀରେ,
ପ୍ରୀତିଭରା ତନ୍ଦ୍ରା ହୋଇଯିବି ମୁହିଁ
ହୃଦ ଆବେଗରେ ଭରେ ।
ମୋ' ଆଶାପୁଞ୍ଜର ତଟିନୀ କୂଳରେ
ତୁମେ ମୋର ରାଜହଂସ,
ତୁମ ବିଶ୍ଵାସରେ ନଈରେ ଖେଳିବି
ରାଜ ହଂସୀନି ମୁଁ ଏକ ।
ଆଶା, ବିଶ୍ଵାସରେ ପ୍ରିୟ ପ୍ରେୟସୀର
ସମ୍ପର୍କ ହୁଏ ନିବିଡ଼,
ପ୍ରେମ ଅଟେ ଏକ ଶାଶ୍ୱତ ପବିତ୍ର
ସଂସାର କରେ ମଧୁର ।