ଶାନ୍ତି ସିନ୍ଦୁକ
ଶାନ୍ତି ସିନ୍ଦୁକ
ସଂସାର ଭିତରେ ଘର କରିଥିଲେ
ପଥର ପଡିଲେ ସହି
ଗୃହକୁ ମଣିବା ଶାନ୍ତିର କୁଟୀର
କଳହ କରିବା ନାହିଁ
ସୁଖ ପଛେ ଧାଇଁ ପାରିନାହିଁ କେହି
ଶାନ୍ତି କପୋତକୁ ଛୁଇଁ
ଶାନ୍ତିର ପଥରେ ଗତି କଲେ ସର୍ବେ
ସୁଖ ଆପେ ମିଳିଥାଇ
ବିଳାଶ ବ୍ୟସନେ ସୁଖର ପ୍ରାଚୁର୍ଯ୍ୟ
ଭୋଗ ଲାଳସାରେ ରହି
କ୍ଷଣିକ ଆନନ୍ଦେ ମନ ପୁଲକିତ
କେବେ ନୁହେଁ ଚୀରସ୍ଥାୟୀ
ସୁଖ ତରଙ୍ଗର ବହୁ ରୂପ ରଙ୍ଗ
ମାୟାକୁ ସାଥିରେ ନେଇ
ରୂପ ରଂଗହୀନ ଶାନ୍ତିର ପଥକୁ
କଣ୍ଟକିତ କରିଥାଇ
ଶାନ୍ତିର ଆନନ୍ଦ ଅଟେ ଚିଦାନନ୍ଦ
ସର୍ବ ବଂଧନରୁ ମୁକ୍ତ
ଶାନ୍ତିର ସାମର୍ଥ୍ୟ ଶକ୍ତି ପ୍ରଦାୟକ
ଦେଖାଏ ମୁକ୍ତିର ପଥ
ବ୍ୟସ୍ତ ଓ ବିବ୍ରତ କରେ ମୋହଗ୍ରସ୍ତ
ସୁଖକୁ ପାଇବା ପାଇଁ
ମାୟା ବନ୍ଧନରେ ସୁଖର କ୍ଷୁଧାରେ
ମାନବ ଅନ୍ଧ ହୁଅଇ
ଜାଣି ପାରେ ନାହିଁ ନିଜର ଅନ୍ତର
ଶାନ୍ତି ଉତ୍ପତିର ସ୍ଥଳ
ସୁଖ ଭୋଗକରି ଅଶାନ୍ତିରେ ରହେ
ଦୁଖଃରେ କଟେ ତା କାଳ
ଜୀବନ ଯମୁନା ମନମୀନ ପାଇଁ
ପଂକ କାଦୁଅରେ ଭରେ
ଶୋକ ଦୁଖଃ କ୍ଷୁଦା ମୋହମାୟା ମୃତ୍ୟୁ
ଜଳ ଉର୍ମି ସୃଷ୍ଟି କରେ
ଜୀବନ ଯମୁନା ଜଳ ସ୍ଥିର ପାଇଁ
ଇନ୍ଦ୍ରିୟ ସଂଜମ ଲୋଡା
ମଇଳା ହଟିବ ଜୀବନ ଜଳରୁ
ପଂକ ହୋଇଗଲେ କଢା
ନିର୍ମଳ ଜଳରେ ଶାନ୍ତି ପ୍ରତିବିମ୍ବ
ଚନ୍ଦ୍ରପରି ଦେଖାଯିବ
ପ୍ରଭୁଂକ ସ୍ୱରୁପ ଦୃଶ୍ୟମାନ ହୋଇ
ମାନସ ଶୀତଳ ହେବ
ଆଚରଣ ସଂଗେ ଉଚାରଣ ବିଧି
ବିଚରଣ ବଦଳିବ
ସରଳ ଜୀବନ ନିରଳସ ମନ
ଶାନ୍ତି ଚାବିକାଠି ଦେବ
ଅନ୍ତର ଭିତରେ ଶାନ୍ତିର ସିନ୍ଦୁକ
ଆପେ ଆପେ ଖୋଲିଯିବ
ଜୀବନ ଆମର ଶାନ୍ତିମୟ ହୋଇ
ସମାଜ ମଂଗଳ ହେବ
