STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational

2  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational

ଶାନ୍ତି ସିନ୍ଦୁକ

ଶାନ୍ତି ସିନ୍ଦୁକ

1 min
144

ସଂସାର ଭିତରେ ଘର କରିଥିଲେ

  ପଥର ପଡିଲେ ସହି

ଗୃହକୁ ମଣିବା ଶାନ୍ତିର କୁଟୀର

  କଳହ କରିବା ନାହିଁ


ସୁଖ ପଛେ ଧାଇଁ ପାରିନାହିଁ କେହି

  ଶାନ୍ତି କପୋତକୁ ଛୁଇଁ

ଶାନ୍ତିର ପଥରେ ଗତି କଲେ ସର୍ବେ

  ସୁଖ ଆପେ ମିଳିଥାଇ

   

ବିଳାଶ ବ୍ୟସନେ ସୁଖର ପ୍ରାଚୁର୍ଯ୍ୟ

  ଭୋଗ ଲାଳସାରେ ରହି

କ୍ଷଣିକ ଆନନ୍ଦେ ମନ ପୁଲକିତ

  କେବେ ନୁହେଁ ଚୀରସ୍ଥାୟୀ

   

ସୁଖ ତରଙ୍ଗର ବହୁ ରୂପ ରଙ୍ଗ 

   ମାୟାକୁ ସାଥିରେ ନେଇ

ରୂପ ରଂଗହୀନ ଶାନ୍ତିର ପଥକୁ

   କଣ୍ଟକିତ କରିଥାଇ

   

ଶାନ୍ତିର ଆନନ୍ଦ ଅଟେ ଚିଦାନନ୍ଦ

   ସର୍ବ ବଂଧନରୁ ମୁକ୍ତ

ଶାନ୍ତିର ସାମର୍ଥ୍ୟ ଶକ୍ତି ପ୍ରଦାୟକ

   ଦେଖାଏ ମୁକ୍ତିର ପଥ

    

ବ୍ୟସ୍ତ ଓ ବିବ୍ରତ କରେ ମୋହଗ୍ରସ୍ତ

    ସୁଖକୁ ପାଇବା ପାଇଁ

ମାୟା ବନ୍ଧନରେ ସୁଖର କ୍ଷୁଧାରେ

    ମାନବ ଅନ୍ଧ ହୁଅଇ

    

ଜାଣି ପାରେ ନାହିଁ ନିଜର ଅନ୍ତର

   ଶାନ୍ତି ଉତ୍ପତିର ସ୍ଥଳ

ସୁଖ ଭୋଗକରି ଅଶାନ୍ତିରେ ରହେ 

   ଦୁଖଃରେ କଟେ ତା କାଳ

    

ଜୀବନ ଯମୁନା ମନମୀନ ପାଇଁ

   ପଂକ କାଦୁଅରେ ଭରେ

ଶୋକ ଦୁଖଃ କ୍ଷୁଦା ମୋହମାୟା ମୃତ୍ୟୁ

   ଜଳ ଉର୍ମି ସୃଷ୍ଟି କରେ

    

ଜୀବନ ଯମୁନା  ଜଳ ସ୍ଥିର ପାଇଁ

   ଇନ୍ଦ୍ରିୟ ସଂଜମ ଲୋଡା

ମଇଳା ହଟିବ  ଜୀବନ ଜଳରୁ

   ପଂକ ହୋଇଗଲେ କଢା

    

ନିର୍ମଳ ଜଳରେ ଶାନ୍ତି ପ୍ରତିବିମ୍ବ

   ଚନ୍ଦ୍ରପରି ଦେଖାଯିବ

ପ୍ରଭୁଂକ ସ୍ୱରୁପ ଦୃଶ୍ୟମାନ ହୋଇ

   ମାନସ ଶୀତଳ ହେବ

    

ଆଚରଣ ସଂଗେ ଉଚାରଣ ବିଧି

   ବିଚରଣ ବଦଳିବ

ସରଳ ଜୀବନ ନିରଳସ ମନ

  ଶାନ୍ତି ଚାବିକାଠି ଦେବ

   

ଅନ୍ତର ଭିତରେ ଶାନ୍ତିର ସିନ୍ଦୁକ

  ଆପେ ଆପେ ଖୋଲିଯିବ

ଜୀବନ ଆମର ଶାନ୍ତିମୟ ହୋଇ

  ସମାଜ ମଂଗଳ ହେବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational