ଶାନ୍ତି ବୃକ୍ଷ
ଶାନ୍ତି ବୃକ୍ଷ
ସୁଖ ଦୁଃଖ ଦୁଇ ଫଳ ଏ ବୃକ୍ଷର
ଗୋଟେ ମିଠା ଗୋଟେ ପିତା
ପିତା ମିଠା ନେଇ ଜୀବନ ବୃକ୍ଷଟି
କହୁଥାଏ କିଛି କଥା।
ପାପ ପୂଣ୍ୟ ଯଦି ଦୁଇ ଶାଖା ହୁଏ
ସ୍ନେହ ଏ ଗଛର ପତ୍ର
ପ୍ରେମ ଫୁଲ ଫୁଟେ ଏହି ବୃକ୍ଷ ସାରା
ବାସ ବୁଣେ ସମ୍ପର୍କର।
କରମ ଆଦରି ମନ ଚାଙ୍ଗୁଡିରେ
ବୃକ୍ଷର ଫୁଲକୁ ତୋଳ
ଧରମ ଦାଣ୍ଡରେ ସରାଗରେ ବାଣ୍ଟ
ସୁଖ ଦୁଃଖ ଦୁଇ ଫଳ।
ନ ତୋଳିଲେ ଫଳ କେବେ ପାଚିବନି
ଏ ଯେଣୁ ବୃକ୍ଷ ଅଦ୍ଭୁତ
କର୍ମ କରି ଫଳ ତୋଳି ପରଶିଲେ
ରହିବ ବୃକ୍ଷ ମହତ।
ଦୁଃଖଟି ଅଟଇ ମନର ଆବେଗ
ଯହିଁ ଥାଏ କିଛି ବ୍ୟଥା
ଯହିଁ କିଛି କଥା ମନେ ଭରେ ଖୁସି
ସେଇ ଅଟେ ସୁଖ ରାସ୍ତା।
ଦୁଃଖ ଯଦି ଏଠି ପିତା ସ୍ଵାଦ ଦିଏ
ଦେହ ପାଇଁ ହିତକର
ସୁଖ ଫଳ ପାଇ ସଂସାରରେ କେବେ
କହିବ ନାହିଁ ଚାତର।
ଦୁଃଖଟି ନ ଥିଲେ ମିଳେ ନାହିଁ ଏଠି
ସୁଖଟିର ପରିଚୟ
ଅନ୍ଧାର ନ ଥିଲେ ଦୀପଟିର ମୂଲ
କିଏ ବା ବୁଝିବ କୁହ?
ହସ ଲୁହ ଆଉ ସତ ମିଛ ପୁଣି
ଖରା ଛାଇ ଖେଳଘର
ଜନମ ମରଣ ପାପ ଆଉ ପୂଣ୍ୟ
ସୂତ୍ର ପରା ଦୁଇଟିର।
କରମ ସାଧନେ ଭଲପାଇବାର
ପାଣି ବୃକ୍ଷ ମୂଳେ ଦିଅ
ଆଶା ଭରଷାର ଈଶ୍ୱର ଭାବିକି
ବୃକ୍ଷଟିର ଯତ୍ନ ନିଅ।
ଏ ବୃକ୍ଷରେ ଯେଣୁ ବସା ବାନ୍ଧିଛନ୍ତି
ଜୀବ ପରମ ଚଢେଇ
ଅନାଚାର କଲେ ପକ୍ଷୀ ଉଡିଯିବେ
ବୃକ୍ଷ ମରିଯିବ ତହିଁ।
ଏ ଦୁଇ ଚଢେଇ ବୃକ୍ଷ ମଧ୍ୟେ ରହି
ଆନନ୍ଦେ ଗାଆନ୍ତି ଗୀତ
ଆପଣାର ବୋଲି ଏ ସାରା ଜଗତ
ବାର୍ତ୍ତାଟି ଏହି ମହତ।
ଜୀବନ ବୃକ୍ଷର ଯେ କରେ ଆଦର
ବୃକ୍ଷଟି ତାହାକୁ ଚିହ୍ନେ
ଯତ୍ନ ନେଉଥିଲେ ବୃକ୍ଷ ଦିଏ ରତ୍ନ
ବସାଏ ରାଜ ଆସନେ।
ହିଂସା ରାଗ ଦ୍ଵୈଷ ଅହଂକାରେ ଯେତେ
ବୃକ୍ଷ ଅପବିତ୍ର ହୁଏ
ପରୋପକାରୀକୁ ବୃକ୍ଷଟିଏ ତାର
ମୂଲ୍ୟବାନ ଫଳ ଦିଏ।
ବୃକ୍ଷଟିର ଛାଇ ଏ ସଂସାର ପାଇଁ
ଆକାଶର ଛାତ ସମ
ଶୀତଳ ପରଶେ ପଥିକ ମୂଳରେ
ମେଣ୍ଟାଇବ ପଥଶ୍ରମ।
କାମନା ଲାଳସା ଲୋଭ ମୋହେ ପଡ଼ି
ବୃକ୍ଷକୁ ଉଜାଡ଼ ନାହିଁ
ଏହି ବୃକ୍ଷ ଅଟେ ଶାନ୍ତିର ପ୍ରତୀକ
ମୂର୍ଖ ଅପର୍ତ୍ତି କହଇ।
