ସେଇଠି ମୋ ଷଠିଘର
ସେଇଠି ମୋ ଷଠିଘର
ଶିକ୍ଷା ଅନୁଷ୍ଠାନ ଛୁଟି ହେଲା ପରେ
ଗାଆଁକୁ ଫେରଇ ଯେବେ ,
ମନରେ ମୋହର ଅପାର ଆନନ୍ଦ
ଆପେ ଜାଗିଉଠେ ତେବେ ।
ମାଆ ହାତରନ୍ଧା ଖାଇବା ପାଇଁକି
ମନ ହୁଏ ହାଇଁପାଇଁ ,
ଭାତ ,ଡାଲି ,ଶାଗ ,ଦହି ,ବଡ଼ିଚୁରା
କଖାରୁ ଡଙ୍କର ରାଇ ।
ପର୍ବପର୍ବାଣିରେ ଭଳିଭଳି ପିଠା
ଚକୁଳି ,ଏଣ୍ଡୁରି,ମଣ୍ଡା ,
ପୋଡପିଠା ଆଉ କାକରା ଖାଇକି
ମନ ହୋଇଯାଏ ଥଣ୍ଡା ।
ଗାଆଁ ପୋଖରୀରେ ସାଙ୍ଗମେଳେ କେତେ
ମଜା କରେ-ବୁଡ଼ମାରେ ,
ଗଛଡାଳେ ଥିବା-ବସାରୁ ଖୁସିରେ
ଚଢ଼େଇଛୁଆଙ୍କୁ ଧରେ ।
ଆଉଁସି ଟିକିଏ ରଖିଦେଇ ପୁଣି
ଦାଣ୍ଡରେ ମାରଇ ଡିଆଁ ,
କେତେ ରକମର ଖେଳ ଖେଳେ ତହିଁ
କରିକି ଦଉଡ଼ାଧାଆଁ ।
ଲେଖାଯୋଖାରେ କେ ଭାଇ ,ନାନୀ ଯଦି
ଗାଆଁରେ ହୁଅନ୍ତି ବାହା ,
ଭୋଜି ଖାଇ କେତେ ମଉଜ କରେ ମୁଁ
ଭାରି ଭଲ ଲାଗେ ତାହା ।
ସୁଖେ ଦୁଃଖେ ସେଠି ଜଣେ ଅପରକୁ
ସାହାଯ୍ୟ କରନ୍ତି ଆପେ ,
ନାଲିଆଖି ଦେଖି ଡରି ଯାଆନ୍ତିନି
ସହଜରେ କାହା ଚାପେ ।
ଚାଷୀଭାଇ ତହିଁ ଜମି ଚଷି ତା'ର
ଉପୁଜାଏ କେତେ ଶସ୍ୟ ,
ଅନ୍ୟର ତୁଣ୍ଡକୁ ଆହାର ଯୋଗାଏ
ମୁହଁରେ ଫୁଟାଏ ହସ ।
ସେଇ ଗାଆଁଟି ଯେ ମୋ ଜନମ ମାଟି
ସେଇଠି ବି ଷଠିଘର ,
ସେଥିପାଇଁ ଭାରି ଆପଣାର ଲାଗେ
ସତେକି ସରଗପୁର ।
