ସେଇ ତ ଏ ଦେହ
ସେଇ ତ ଏ ଦେହ
ସେଇ ତ ଏ ଦେହ,
ଯେଉଁଠି ପ୍ରବାହିତ ଅଗଣିତ ରକ୍ତ କୋଷ
ଶିରା ଏବଂ ଧମନୀ ଖଞ୍ଜା ହେଇ ବାଦ୍ୟଯନ୍ତ୍ର ପ୍ରାୟ
ହୃଦପିଣ୍ଡକୁ ଧକଧକ କରୁଥିବା ଅବିରତ ନିୟମର
ଅନାହତ ପ୍ରୟାସ
ସେଇ ତ ଏ ଦେହ,
ଯେଉଁଠି ଆଧୁନିକ ଯନ୍ତ୍ର ଚାଳନା ବିନା
କଠିନରୁ କାଠିନତର ଖାଦ୍ୟ ପଦାର୍ଥ ସବୁ
ପାଚିତ ହେଇ ଅପଦାର୍ଥ ଚାଲିଯାଏ ମଳଦ୍ୱାର ଦେଇ,
ମୂତ୍ରନଳୀ ଦେଇ ତରଳ ବି ବହିଯାଏ ମୂତ୍ରାଶୟ ପୂର୍ଣ୍ଣ ହେଇ
ସେଇ ତ ଏ ଦେହ,
ଯେଉଁଠି ବୃକକ୍ ଆଉ ଅଗ୍ନାଶୟ ଥାଏ ଖଞ୍ଜା ହେଇ,
ଶ୍ୱାସନଳୀ,ଖାଦ୍ୟନଳୀ , ରକ୍ତନଳୀ,ଅନ୍ତନାଡୀ
ସଭିଏଁ ଜାଗ୍ରତ ଥାନ୍ତି ପ୍ରତି ମୁହୂର୍ତ୍ତରେ ସମୟର ହାତଧରି
ସେଇ ତ ଏ ଦେହ,
ଯେଉଁଠି ଅନେଶତ ରୋଗ ଥାଏ ଆଡୁଆଳେ ଲୁଚି,
ଲକ୍ଷ ଲକ୍ଷ ଭୁତାଣୁ ,ଜୀବାଣୁ ଆଦି ସାଲୁବାଲୁ କ୍ରୀଡ଼ାରତେ କରିବାକୁ ଆକ୍ରମଣ ସୁଯୋଗର ଅପେକ୍ଷାରେ ଜଗିଥାନ୍ତି ବସି
ସେଇ ତ ଏ ଦେହ,
ଯେଉଁଠି ଖଞ୍ଜା ଥାଏ ପଞ୍ଚନ୍ଦ୍ରିୟ ,ପଞ୍ଚମହାଭୁତ
ସେ ଦେହରେ ଥାଏ ପୁଣି ନବାଦ୍ୱାର
ରଖିବାପାଇଁ ଜୀବନକୁ ସକ୍ରିୟ ଓ ଜୀବିତ
ସେଇ ତ ଏ ଦେହ,
ଯେଉଁଠି ରଙ୍ଗ ମଧ୍ୟ ବାଦ ପଡିନି
ନୀଳ,ନାଲି,ଧଳା,କଳା ବିଭିନ୍ନ ସମାହାରରେ
ବାତ, ପିତ, ରକ୍ତ ଆଉ କଫ ପରି ଅନେକ ରୂପରେ
ସେଇ ତ ଏ ଦେହ,
ଯେଉଁଠି ମନ,ବିବେକ ସବୁ କିଛି ଥାଏ
କେବଳ ବୁଝିବାକୁ ସମୟର ଘୋର ଅଭାବ
ଗୋଟିଏ କ୍ଷଣରେ ଟଳିପଡେ ଭୂମିରେ
ମାଟିରେ ତିଆରି ଏଇ ଦେହ ଶେଷରେ
ମିଶିଯାଏ ସେଇ ମାଟିରେ
