STORYMIRROR

Writer Roja Panda

Abstract Others

4  

Writer Roja Panda

Abstract Others

ଅନେକ ଦିନ ପରେ

ଅନେକ ଦିନ ପରେ

2 mins
22.5K


ଆଜି ଅନେକ ଦିନ ପରେ 

ଭିକାରୁଣୀଟା ନିର୍ଭୟରେ ରାସ୍ତା କଡରେ ସୋଇଛି

ଆଜି ଅନେକ ଦିନ ପରେ 

କେହି ତାକୁ ଧର୍ଷଣ କରିନାହାନ୍ତି....

ଆଜି ଅନେକ ଦିନ ପରେ

ଖବରକାଗଜରେ ବି କେଉଁଠି 

ଗଣଧର୍ଷଣ ବିରୁଦ୍ଧରେ ଧାଡିଟିଏ ଲେଖାନାହଁ

କି କୌଣସି ନ୍ୟାୟାଳୟରେ

ଧର୍ଷଣକାରୀର ମାମଲା ରୁଜୁ ହୋଇନାହିଁ....

ଆଜି ଅନେକ ଦିନ ପରେ

ଦାନବ ସଦୃଶ୍ୟ ଜାନବାହାନର 

ଓଜନିଆ ଚକ ତଳେ କାହାର

କୋମଳ ଶରୀରଟା ଦଳି ଚକଟି ନଷ୍ଟ ହେଇନାହିଁ

କି କାହା ମଥାରୁ ଅଚାନକେ ସିନ୍ଦୁର ଲିଭିନାହିଁ....

ଆଜି ଅନେକ ଦିନ ପରେ

ମାତାଲ ରଘୁଆଟା ବିଳମ୍ବ ରାତିରେ ଘରକୁ ଫେରି

ତା ସରଳିଆ ଭାରିଜାର ଭୋକିଲା ଉଦରକୁ

ମୁଷ୍ଟି କିମ୍ବା ପଦାଘାତ କରିନାହିଁ....

ଆଜି ଅନେକ ଦିନ ପରେ

ଗାଁରେ ପଡି ବର୍ଷ ବର୍ଷ ଧରି ପୁଅକୁ ଝୁରୁଥିବା

ବୁଢୀଟା ଆଉ ପୁଅର ବିରହରେ ଓଳି ତଳେ ବସି

କରୁଣ ସ୍ୱରରେ ବାହୁନି କାନ୍ଦୁନାହିଁ....

ଆଜି ଅନେକ ଦିନ ପରେ

ମଧ୍ୟାନ ଭୋଜନରେ ମୁନ୍ନା ଆଉ

ଚାୱମିନ , ମଞ୍ଚୁରିଆନ ଅଥବା 

ଚାଇନିଜ ଆଇଟମ ପାଇଁ ଅଳି କରୁନାହିଁ.... 

ଆଜି ଅନେକ ଦିନ ପରେ

ପ୍ରକୃତି ବିସ୍ତାର କରିଥିବା ସୌନ୍ଧର୍ଯ୍ୟତାକୁ

ମନୁଷ୍ୟର ବର୍ବରତା ନଷ୍ଟ କରୁନାହିଁ

କି ସହରରେ ଆଗ ଭଳି ଧୂଆଁ ଆଉ ଧୂଳି ଉଡୁନାହିଁ....

ଆଜି ଅନେକ ଦିନ ପରେ

ପକ୍ଷୀ ମାନଙ୍କର କିଚିରି ମିଚିରି ସ୍ୱରର 

ମଧୁର ଝଙ୍କାର ଆଗଭଳି

ହୃଦୟରେ ବିରକ୍ତି ଭାବ ସୃଷ୍ଟି କରୁନାହିଁ....

ଆଜି ଅନେକ ଦିନ ପରେ

ପଡ଼ିଶା ଘରର ଲଣ୍ଡନ ଫେରନ୍ତା 

ଫେସନ ବାଲି ଆଣ୍ଟି ହ୍ୟାଣ୍ଡସେକ ବଦଳରେ

ନମସ୍କାର କରିବାକୁ ଟିକେ ବି କୁଣ୍ଠିତ ହେଉନାହାନ୍ତି....

ଆଜି ଅନେକ ଦିନ ପରେ

ନବ ବିବାହିତା ଚତୁରୀ ବୋହୁଟା

କବାଟ ଫାଙ୍କରେ ସ୍ୱାମୀକୁ ଅପେକ୍ଷା କରି

ପୁରା ଦିନ ଏକୁଟିଆ କାଟୁନାହିଁ

ଅବା ପୂର୍ବ ପରି ପ୍ରାଣନାଥଙ୍କ ବାଟଚାହିଁ

ଖାଇବା ଥାଳି ବାଢି ଉଜାଗରେ ଗାଲରେ

ହାତ ରଖି ଢୋଳାଉନାହିଁ.....

ଆଜି ଅନେକ ଦିନ ପରେ

ସପ୍ତାହରେ ଥରେ ହେଲେ ଗାଧୋଉନଥିବା

ଭଗିଆ ମଉସା ବିନା ହାତ,ଗୋଡ଼ ଧୁଆରେ

ପଖାଳ କଂସା ପାଖରେ ବସୁନାହିଁ

କି ତାର ବାଳୁଙ୍ଗା ପୁଅ ନଟିଆ

ସାହି ପିଲାଙ୍କ ମେଳରେ କଳି କରି

କାହାର ମୁଣ୍ଡ ଫଟାଉନାହିଁ.....

ଆଜି ଅନେକ ଦିନ ପରେ

ସନ୍ଧ୍ୟା ସମୟର ସବୁତକ ସମୟ

ଛକର କ୍ଲବ ଘରେ ତାସ ଖେଳରେ

ବିତାଉଥିବା ମୋ ବାପା

ଆଉ ତାସ ଖେଳିବାକୁ ଯାଉନାହାନ୍ତି

କି ଖେଳିବାକୁ ଯିବା ପୂର୍ବରୁ

ତାଙ୍କ ପାଇଁ ଜଳଖିଆ ତିଆରି ହୋଇନଥିଲେ

ମୋ ମାଆ ଉପରେ ବିରକ୍ତ ହେଉନାହାନ୍ତି....

ଆଜି ଅନେକ ଦିନ ପରେ

ପ୍ରେମିକାଟି ନିଜର ସୀମା ଡେଇଁ ଖୋଲା ଆକାଶ ତଳେ

ତା ପ୍ରେମିକର ଓଷ୍ଠରେ ପ୍ରୀତି ଚୁମ୍ବନ ଆଙ୍କୁନାହିଁ

କି ଦେଖଣାହାରୀଙ୍କୁ ତା ଚରିତ୍ରର ଘନତ୍ଵ

ମାପିବାର ସୁଯୋଗ ଦେଉନାହିଁ.....

ଆଜି ଅନେକ ଦିନ ପରେ

ଅଦୃଶ୍ୟ ମହାମାରୀର ଭୟରେ ହେଉପଛେ

ମନୁଷ୍ୟ ଜାତି ଫେରିଯାଇଛି ତାର

ହଜିଯାଇଥିବା ସଂସ୍କୃତି ଆଡକୁ ଆଉ

ବୁଝିଯାଇଛି ଯେ ଏବେବି ତା ହୃଦୟରୁ 

ପରମ୍ପରାର ବାସ୍ତବ ମୂଲ୍ୟବୋଧ ହଜିନାହିଁ.....।



Rate this content
Log in

Similar oriya poem from Abstract