ବର୍ଷାରାଣୀ
ବର୍ଷାରାଣୀ
ଭିଜା ଭିଜା ଶ୍ରାବଣେ ଭୂଇଁ
ଦିଏ ଖୁସି ମନରେ ଛୁଇଁ
ଆସିଅଛି ବରଷା ରାଣୀ
ଲେଖେ ଚାଷୀ ନୂଆ କାହାଣୀ ।
ଦିନ ରାତ୍ର ବିଲରେ ଅଛି
ଚାଷ କାର୍ଯ୍ୟ ଯତ୍ନେ କରୁଛି
ମାଟି ସଙ୍ଗେ ମାଟି ହେଉଛି
ବରଷା ରାଣୀ ଖୁସି ଆଣିଛି ।
କରୁଛି କେତେ କଷ୍ଟ ଚାଷୀ
ରିମ୍ ଝିମ୍ ବର୍ଷରେ ଖୁସି
ଜନ ଜନ ପେଟ ପୋଷୁଛି
ଅନ୍ନ କଷ୍ଟ ଦେଶେ ନହୁଛି ।
ଘଡ଼ଘଡ଼ି ଶବ୍ଦ ଗୁଞ୍ଜୁଛି
ଝଙ୍କାର ଝିଙ୍କାରି କରୁଛି
ଶ୍ରାବଣ ମାସ ଏ ବର୍ଷାର
ବିଜୁଳି ମାରୁଛି ପ୍ରଖର ।
ବର୍ଷାରାଣୀ କରେ କାତର
ଭାଙ୍ଗିଦିଏ ସେ ଘରଦ୍ବାର
ଯନ୍ତ୍ରଣା ଦିଏ ବର୍ଷାରାଣୀ
ଦିଏ ମନୁଷ୍ୟେ ଚିନ୍ତା ଆଣି ।
ବର୍ଷା ବହୁଳେ ସୃଷ୍ଟି ନାଶ
ବର୍ଷା ବିହୁନେ ସର୍ବନାଶ
ଚାରିଆଡେ଼ ହିଁ ପାଣିପାଣି
ନଦୀ ନାଳ ବଢୁଛି ପୁଣି ।
ଧାନ ଗଛ ବିଲେ ଶୋଭୁଛି
ତହିଁ ଚାଷୀ ଖୁସିରେ ଅଛି
ଗଛ ପତ୍ର ଲତା ସୁନ୍ଦର
ନିଏ ମନ ମୋହି କବିର ।
କୋଇଲି ରାବ କି ମଧୁର
ମୟୁର ନାଚେ ନିରନ୍ତର
ପୁଷ୍ପର ଗନ୍ଧ ମନୋହର
ଅମ୍ଳଜାନ ହେ ନୀରୋଗର ।
ଆସିଛି ପରା ବର୍ଷାରାଣୀ
ବର୍ଷା ଋତୁର ଏ କାହାଣୀ ।
