ସେଇ ମୋର ସଦଗୁରୁ
ସେଇ ମୋର ସଦଗୁରୁ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ମୁଁ ତ ଥିଲି କୁନି ଛୁଆ ଜାଣେନା କିଛି
ମତେ ଯିଏ ଶିଖାଇଲେ ମନେ ମୋ ଅଛି ।
ବୋଉ କୋଳୁ ବାପ ଭାଇ ଭିଡ଼ିଲେ ମତେ
ସ୍କୁଲ୍ ଘରେ ଜଗି ରଖି ଛାଡ଼ିଲେ ସତେ ।
ଧୂଳିଘର ବାଲିଘର ଭାଙ୍ଗିଲା ଖେଳ
କାନ୍ଦ କାନ୍ଦ ଲାଗି କେତେ କଟିଲା ବେଳ ।
ହେଲେ ସେଠି ନୂଆ ସାଙ୍ଗ ପାଇଲି ଭେଟ
ବୁଝିଗଲି ଏତେ ଦିନେ ହୋଇଲି ଚାଟ ।
ଜଣେ ମତେ ଗେଲ କଲେ ମୁହଁକୁ ଟେକି
ତାଙ୍କ ହାତୁ ଖସିବାକୁ ପାରିନି ଠକି ।
ହାତ ଧରି ଓଠ ଧରି ବତାଇ କଥା
ଭୁଲ୍ ମୋର ଠିକ୍ କଲେ ଆଉଁସି ମଥା ।
କାନ୍ଦୁଥିଲେ ରୁଷୁଥିଲେ କୋଳେଇ ନେଲେ
କେତେ କରି ଗେଲ କରି ନିଜର ହେଲେ ।
ଅସରନ୍ତି ଗପ ଗୀତ କହିଲେ ପୁଣି
କେତେ ନୀତି କେତେ ଶିକ୍ଷା ପାରିଲି ଜାଣି ।
ଦୁଷ୍ଟ ହେଲେ କେବେ ସିଏ ପାହାର କଷି
ପଛେ ପୁଣି ଲୁଚି ଲୁଚି କାନ୍ଦନ୍ତି ବସି ।
ହାତଛଡ଼ା ହୋଇନାହିଁ ତାଙ୍କରି ସ୍ନେହ
ଆଖି ଆଗେ ଭାସୁଥାଏ ତାଙ୍କରି ମୁହଁ ।
ତାଙ୍କ କଥା ଭାଳି ଭାଳି କରିଛି ଯାହା
ଏତେ ବଡ଼ ଦୁନିଆରେ ପାଇଛି ରାହା ।
ତାଙ୍କ ଲାଗି ବଡ଼ ହୋଇ ମଣିଷ ହେଲି
ସେଇ ମୋର ସଦଗୁରୁ ପ୍ରଣାମ କଲି ।