STORYMIRROR

Gunanidhi Samal

Classics

4  

Gunanidhi Samal

Classics

ସେହି ମୋ ପ୍ରିୟ ଗାଁ

ସେହି ମୋ ପ୍ରିୟ ଗାଁ

1 min
102

ସେହି ମୋ' ପ୍ରିୟ ଗାଆଁରେ ଭାଇ

ସେହି ମୋ' ପ୍ରିୟ ଗାଆଁ

ଯାହାର କୋଳେ ଥାପିଲି ପାଦ

ଡାକିଲି କୁଆଁ କୁଆଁ,

ସେହି ମୋ' ପ୍ରିୟ ଗାଆଁ........।

ତା' ବଣ ବିଲ ପାହାଡ଼ ବୁଲି

ତୋଳିଛି କେତେ କୋଳି

ସାଙ୍ଗ ସାଥୀରେ ଗାଆଁ ମୁଣ୍ଡରେ

ଖେଳିଛି କେତେ ଦୋଳି,

ଘରକୁ ଯେବେ ଡେରିରେ ଫେରେ

ଗାଳି ଦେଇଛି ମାଆ

ସେହି ମୋ' ପ୍ରିୟ ଗାଆଁ.........।

ତାହାରି ନଦୀ ଗାଡ଼ିଆ ଜଳେ

ଛାଟିଲି ଗୋଡ଼ ହାତ

ପକାଇ ଦେଇ ବନିଶୀ କଣ୍ଟା

ମାରିଲି କେତେ ମାଛ,

ସାହା ମୋ' ସେହି ଗ୍ରାମ ଦେବତୀ

ଭଗବତୀ ତା' ନାଆଁ

ସେହି ମୋ' ପ୍ରିୟ ଗାଆଁ.........।

କାନ୍ଦି କାନ୍ଦିକା ଚାହାଳୀ ଗଲି

ବହି ବସ୍ତାନୀ ଧରି

ପଢ଼ିଲି ପାଠ ଗାଇଲି ଗୀତ

ଅବଧାନ ଙ୍କୁ ଡରି,

ଜାଣିଲି ଯେବେ ଦୁନିଆଁ କଥା

ଲାଗିଲା ସବୁ ନୂଆଁ

ସେଇ ମୋ ପ୍ରିୟ ଗାଆଁ.......।

ଆଜି ମୁଁ କାହିଁ ବହୁତ ଦୂରେ

ରହିଲି ପରବାସେ

ଏବେବି ମୋର ମାନସ ପଟେ

ମୋ' ଗାଆଁ ଛବି ଭାସେ,

ଜଳିଛି ଏଠି ଏନ୍ତୁଡ଼ି ମୋର

ଜଳିବ ଜୁଇ ନିଆଁ

ସେହି ମୋ' ପ୍ରିୟ ଗାଆଁ...…..।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics