ସେଦିନ
ସେଦିନ
ରୋମାଣ୍ଟିକ କବି ମାୟାଧର ମାନସିଂହ
ସେଦିନ ପଡ଼ଇ ମନେ-ଯେଦିନ କଲ୍ୟାଣି,
ଅପବାଦ,ଅନ୍ଧକାର,ଅପଥ ନମାନି
ଧାଉଁଥିଲି ସ୍ତବ୍ଧ ରାତ୍ରେ, ପ୍ରଥମା ପ୍ରିୟାର
ନିବିଡ଼ ଆଶ୍ଳେଷବନ୍ଧେ,ଦୁର୍ଦ୍ଦାନ୍ତ ହିୟାର
ଦୁର୍ଦ୍ଦର୍ଷ ବାସନାରାଶି ଶମିବାର ଲାଗି ।
ସ୍ୱପ୍ନେ ହେଲେ ସେଦିନ ତ ନାହିଁ ଥିଲା ଜାଗି
ଚିତ୍ତେ ମୋର ତବ ରୂପ ।କାହିଁ ଥିଲ ସଖି,
ସେକାଳେ ମୋ ଲାଗି ବକ୍ଷେ ଶୂନ୍ୟସ୍ଥାନ ରଖି
ମୋ କକ୍ଷ ଆଲୋକ ପାଇଁ ପ୍ରଦୀପ ସଜାଡ଼ି
କିଶୋର ବୟସୁ ତବ ? ଆଲୋକ ଅଜାଡ଼ି
ସେ ଅବଗୁଣ୍ଠନ ତଳୁ ଆସିଲ ଯେ ଦିନ
ତୁମରେ ଚାହିଁଲି ଦୂରୁ ହୋଇ ଦ୍ବିଧା-ଭିନ୍ନ,
ଜିଜ୍ଞାସିଲି ' ଏ କିଏ ସେ ? କିନ୍ତୁ ପରିଚୟ
ତୁଟାଇଲା ମମତାରେ ସକଳ ସଂଶୟ ।
ସମାପ୍ତ