ସେଦିନ ଯାଉଛି ହଜି
ସେଦିନ ଯାଉଛି ହଜି
ହଜିହଜି ଯାଏ ଲୋକପ୍ରିୟ ଚିଜ ଅଲୋଡ଼ା ହୁଏ ପୁରୁଣା,
ଢେଙ୍କି ଝାଡୁ କୁଲା ଡାଲା କି ଘୋରଣା ଥିଲା ଯା' ଘରକରଣା ।
ଭୁଲିଲେଣି ଲୋକେ ରେଡିଓର ରୂପ ଭୁଲିଲେଣି ଡାକଘର,
ଫୋନ୍ ବୁଥ ବନ୍ଦ ହେଇଛି ହେଉନାହିଁ ଆଉ ତାର ।
ପାଲିଙ୍କିରେ ବସି ବର ଯାଉନାହିଁ ସବାରୀ ଦିଶୁନି ଆଉ,
ଚାଳଘରେ ଲାଉ କଖାରୁ ମାଡୁନି ଘରେ ହେଉନାହିଁ ଜାଉ ।
ଗାଆଁ ପୋଖରୀରେ ଦେଶଗୋଳିଆରେ ହେଉନାହିଁ ମାଛଧରା,
ଜନ୍ତାଳ ଭୋଜିର ମଜା ଆଉ ନାହିଁ ପୋଖରୀ ଦଳରେ ଭରା ।
ଫଟୋ ଷ୍ଟୁଡ଼ିଓରେ ଭିଡ଼ନାହିଁ ଆଉ ପାଲାର ନାହିଁ ଆଦର,
ବହିପଢା ସୁଖ ଭୁଲିଲେଣି ଲୋକେ ଅଛି ନାମକୁ ମାତର ।
ସିଲଟ ଖଡ଼ି ତ ଉଭାନ ହେଲାଣି ଗୁରୁ ହେଲେଣି ଟିଚର,
ଖେଳିବାକୁ ବେଳନାହିଁ ପିଲାଙ୍କର ଟିଉସନ ତିନିଥର ।
ଶଗଡ଼ ଗଡ଼ୁନି ଲଙ୍ଗଳ ଜୁଆଳି ଲୁଚିଲେଣି ହେଇକାଠ,
ଗାଆଁର ବଳଦ ସବୁହେଲେ ଷଣ୍ଢ, ମୋବାଇଲ କରେ ନାଟ ।
