ସେବେଠୁ ମୁଁ କବିତା ପ୍ରେମରେ !!
ସେବେଠୁ ମୁଁ କବିତା ପ୍ରେମରେ !!
ପାରେନି ମୁକୁଳି
ଯେତେ ଚେଷ୍ଟା କଲେ ବି
ତୁମ ଉଷ୍ମ ନିବିଡ ବାହୁବନ୍ଧନରରୁ !
ତୁମ ହୃଦୟର ରୁଦ୍ଧ କାରାଗାରରୁ।
କ୍ଷତାକ୍ତ କରି ଚାଲ ତୁମେ
ଶରବିଦ୍ଧ କରି ଏ ନଶ୍ୱର ଶରୀରକୁ
ଅବା ପ୍ରାଣକୁ ।
ତୁମ ଛାତିରେ ହିଁ ଆକାଶର ବ୍ଯାପକତା
ଆଉ ସାଗରର ଗଭୀରତା
ସୂରୁଜର ଉତ୍ତପ୍ତତା,ପବନର ସାଙ୍ଗୀତୀକତା
ପ୍ରେମର ମାଦକତା !
ତୁମ ନିସଙ୍ଗତାରେ ସାଜେ ମୁଁ ଅଭିସାରିକା
ସେଥିପାଇଁ ତ ମୁଁ
ବାରମ୍ବାର ଭାଙ୍ଗେ ଏ ସଂସାରର ନୀତି ନିୟମ
ନିଜକୁ ସଜାଏ ଦେବଦାସୀଟିଏ ପରି
ପାଦରୁ ଫିଟାଏ ବେଡି
କଥାକଥିତ ସମାଜିକଶୃଙ୍ଖଳ ?
ନୂପୁର ଛନ୍ଦେ ପାଦେ
ସାରାରାତି ନାଚିବାକୁ ତୁମ ଇସାରାରେ।
ପାରେନା ଏଡାଇ ମୁଁ
ତୁମ ଆକର୍ଷଣ
ନିଜକୁ ହରାଏ ନିତି
କେଉଁ ନୀଳ ନିର୍ବାଣ ପ୍ରାପ୍ତି ଆଶେ ?
ସବୁ ମେଘ ଯେ ବର୍ଷା ସର୍ଜି ପାରେ ?
କହିବା ମୁସକିଲ
ରଙ୍ଗ ବେରଙ୍ଗ ଦୁନିଆ ଦାଣ୍ଡରେ
ମୁଁ ଧାଏଁ ଆନ୍ଜୁଳାଏ ମୃଗତୃଷ୍ଣା ନେଇ !
ତୁମ ସାଥିରେ ହିଁ ଗତି
ସାନିଧ୍ୟରେ ମୁକ୍ତି , ଦୂରୀଭୂତ ଅନ୍ଧକାର
ଏ ଜନ୍ମରେ ହୁଏତ ସମ୍ଭବ ନୁହେଁ ?
ଲାଗିପାରେ ଅଶେଷ ସମୟ !
ତୁମ କତିରୁ ମୁକୁଳିବାରେ
ସେବେଠୁ ମୁଁ କବିତା ପ୍ରେମରେ !
