ସେବା ପରମ ଧର୍ମ ( ଶିଶୁକବିତା )
ସେବା ପରମ ଧର୍ମ ( ଶିଶୁକବିତା )
କୋରାପୁଟ ଜିଲ୍ଲା ବନସ୍ତରେ ଥିଲା
ବାଉଁଶ ଝାଡିର ଘର
ମୁଠାଏ ପଖାଳ ଘେନି କାଟେ କାଳ
ଝିଅଟିଏ ନାଆଁ ସର ।
ବଣ ମୂଲକରେ ବଞ୍ଚି ତୁଲ କରେ
ଜୀବିକା ତ ସ୍ଥିର ନାହିଁ
ସାଙ୍ଗ ସାଥୀ ମେଳେ ହସି ବୁଲି ଖେଳେ
ଜୀବଜନ୍ତୁ ଦେଖି ଚାହିଁ ।
ପକ୍ଷୀ ଛୁଆ ପଡି ଥିଲେ ଗଛ ଚଢି
ଥୋଇ ଦିଏ ରାବି ରାବି
ମାନବ ସେବାକୁ ଆବୋରି ନେବାକୁ
ମନ ବଳାଇଲା ଭାବି ।
ଜୀବେ ଦୟା ଭାବ ପାଇଁ ସିନା ଲାଭ
ଆତ୍ମସନ୍ତୋଷ ହିଁ ସାର
ସେବା କରିବାର ଇଚ୍ଛା ଯୋଗୁଁ ତାର
ଗରିବୀ ମାନିଲା ହାର ।
ବଡ ହୋଇ ସିଏ ଭାବିଲାନି କିଏ
ଆପଣାର ଅବା ପର
ସମସ୍ତ ପ୍ରକାର ପର ଉପକାର
ପାଇଁ ଧାଏଁ ଛାଡି ଘର ।
ଛୋଟ ପିଲା ଦେଖି ପଢା ଲେଖା ଲେଖି
ପାଇଁ ସେ ବୁଝାଇ କହେ
ଡାକ୍ତରଙ୍କ ଦେବା ଔଷଧରେ ସେବା
କରି ରୋଗୀ ପାଶେ ରହେ ।
କରି ମିଳାମିଶା ଛାଡିବାକୁ ନିଶା
ଲୋକଙ୍କୁ ବୁଝାଇ ଥାଏ
ସର ନାନୀ ଆମ କେତେ ତାର ନାମ
ସଭିଙ୍କ ଆଦର ପାଏ ।
ଯଦି ତାଙ୍କ ଭଳି ପଥେ ଯିବା ଚଳି
ଦିନୁ ଦିନ ହୋଇ ଶକ୍ତ
ଜନ ହିତେ ଥିଲେ ଜାଣି ଥାଅ ପିଲେ
ବୋଲାଇବା ଦେଶଭକ୍ତ ।
ପ୍ରସନ୍ନ କୁମାର ମାଦଳା