ସଦାଶିବ ଶରଣମ୍
ସଦାଶିବ ଶରଣମ୍
ତୁମେ ଆଶୁତୋଷ ବାବା ନୀଳକଣ୍ଠ
ବିଷପାନ କଲ ସଂସାର ପାଇଁ
କି ମାୟା ରଚିଲ ଆହେ ବିଶ୍ୱନାଥ
ମାନବ ସମାଜ କଲ୍ୟାଣ ଚାହିଁ ।
ଦେଲ ତୁମ ଅସ୍ତ୍ର ସଂଘାର ନିମନ୍ତେ
ଜନନୀ ଅମ୍ବିକା ଦଶଭୁଜାଙ୍କୁ
ମାତା ପାର୍ବତୀଙ୍କ ପୋଛି ଅଶ୍ରୁଧାର
ଯୋଡ଼ିଲ ଗଣେଶ କଟା ମୁଣ୍ଡକୁ ।
ତାଣ୍ଡବ ରଚିଲ ଆହେ ତ୍ରିପୁରାରୀ
କୁଣ୍ଡରୁ ସତୀଙ୍କୁ ସଙ୍ଗରେ ଧରି
ଦେଖାଇଲ ରୂପ ଜଟାଜୁଟ ଖୋଲି
ହାତରେ ଡମ୍ବରୁ ବାଦନ କରି ।
ପ୍ରକମ୍ପିତ କଲ ତ୍ରିପୁରକୁ ତୁମେ
ଭୟଭୀତ ହେଲେ ଦେବତାଗଣ
ବିଷ୍ଣୁ ଭଗବାନ ସୁଦର୍ଶନ ଚକ୍ରେ
ସତୀଙ୍କ ଦେହକୁ କଲେ ଛେଦନ ।
ସୁମରଣା କଲେ ଛୋଟା ଅନ୍ଧ କାଲ
ପ୍ରାପତ ଚରଣ ନୟନ କର୍ଣ୍ଣ
ପଥ ଚାଲିଯାଇ ତ୍ରିନାଥମେଳା ଯେ
ଦେଖିଲେ ଶୁଣିଲେ ହୋଇଲେ ଧନ୍ୟ ।
କି ଲୀଳା ବର୍ଣ୍ଣିବି ତୁମେ ଲୀଳାମୟ
ଭାବର ଠାକୁର ପତିତନାଥ
ତୁମ ପାଦ ପୂଜେ ଦିନ ଅକୀଞ୍ଚନ
ଅରକ୍ଷିତ ଏହି ଅମରନାଥ ।
ହେ ନନ୍ଦୀବାହନ ନାମ ପଞ୍ଚାନନ
ଭକତଙ୍କ ତୁମେ ଜୀବନ ଧନ
ମୁଦ୍ରିତ ତୁମର ତୃତୀୟ ନୟନ
କୃପା କର ପ୍ରଭୁ କୃପାନିଧାନ ।
ହେ ଆଦିଗୋଚର ହେ ସତ୍ୟ ସୁନ୍ଦର
ପୂଜିତ ସକଳ ଦେବତାସୁର
ଭୂଧରକୁ ଧର ଦେବେ ଅଗୋଚର
ବିଶ୍ୱ ରକ୍ଷାକର ହେ ମହେଶ୍ବର ।
ବିଭୂତି ଲେପନ କାମକୁ ମର୍ଦ୍ଦନ
କରିଥାଅ ଯୋଗବଳେ ସାଧନ
ଚର୍ମକୁ ଧାରଣ ସୃଷ୍ଟିକୁ ଧାରଣ
କରିଅଛ ନିଜେ ତ ନାରାୟଣ ।
ହସ୍ତରେ ତ୍ରିଶୂଳ କର୍ଣ୍ଣରେ କୁଣ୍ଡଳ
ପିନ୍ଧିଛ ନୟନଧାରେ କଜଳ
ପିଉଛ ଗରଳ କଣ୍ଠ ଦିଶେ ନୀଳ
ମସ୍ତକେ ଚନ୍ଦ୍ରମା ଗଙ୍ଗା ଉଜ୍ବଳ ।
ଧବଳ କର୍ପୂର ତେଜରେ ଭାସ୍କର
ବାଜୁଥାଏ ତବ ପାଦେ ନୂପୂର
ଚନ୍ଦ୍ରମା ଭାସ୍କର କାନ୍ତି ପ୍ରଭାକର
ସୂଚିତ ମଣ୍ଡନ କର୍ମେକେଶ୍ୱର ।
ହେ ଶିବ ଶଙ୍କର ତୁମେ ମହେଶ୍ବର
କମଳ ଲୋଚନ ହେ ସୁରେଶ୍ଵର
ନାଗେଶ ଭୂଷଣ ଆହେ ଗଙ୍ଗାଧର
ପ୍ରଣମେ ପାମର ହେ ନାଗେଶ୍ଵର ।