ସବୁତ ଗୁରୁଙ୍କ ଦାନ
ସବୁତ ଗୁରୁଙ୍କ ଦାନ
ଗଢିଛ ବୋଲିକି କହିଚ ସଭିଙ୍କୁ,
ସବୁ ତୁମ ହାତ କାମ,
ଯେତେ କାବ୍ୟ ଅବା ପ୍ରବନ୍ଧ ପଢ଼ିଛି,
ସବୁଥିରେ ତୁମ ନାମ ।
ଆଜି କିନ୍ତୁ ମୁହିଁ ଭ୍ରମରେ ପଡ଼ିଛି,
କାଳିଆ ଜଗତ ସାଇଁ,
ସବୁଠି ଶୁଭୁଛି ଗୁରୁଙ୍କ ବନ୍ଦନା,
ତୁମଠୁ ଉଚ୍ଚେ ଦର୍ଶାଇ ।
ଗୁରୁ ବ୍ରହ୍ମା,ଶିବ, ବିଷ୍ଣୁ ଆଦି ଦେବ,
ସମସ୍ତଙ୍କ ଠାରୁ ଗରୁ,
ଆଗେ ଗୁରୁ ପଛେ ଦେବ ଓ ମାନବ
ପଶୁ, ପକ୍ଷୀ,କୀଟ,ତରୁ।
ଗୁରୁ ପରିଚିତେ ଜାଣୁ ଦେବତାଙ୍କୁ,
ନାମିତ କରିଲେ ଗୁରୁ,
ଦେବଙ୍କ ପ୍ରତିମା, କି ତାଙ୍କ ମହିମା,
ଗୁରୁ ତୂଳୀ,କଲମରୁ ।
ମାନୁଛୁ ପ୍ରଭୁ ହେ ତୁମ କୃପାବଳେ,
ପୃଥ୍ୱୀ ଓ ଜୀବ ଜଗତ,
ଜଳ ଓ ପବନ, ମୃତ୍ୟୁ ଓ ଜୀବନ,
ଜୀବ ଦେହେ ତୁମ ରକ୍ତ ।
ହେଲେ ଅଧା ଗଢା ସମ ତୁମ ଗଢା,
ଗୁରୁ ସ୍ପର୍ଶ ଯହିଁ ନାହିଁ,
ଗଢିଛ ମୋତେ ବି ଶିଖେଇଅଛ କି,
ବଞ୍ଚିବାର କଳା କାହିଁ ?
ଗୁରୁ ଯୋଗୁଁ ଶ୍ରେଷ୍ଠ ମାନବ ସୃଷ୍ଟିରେ
ସତସଙ୍ଗେ କରି ମନ,
ଜ୍ଞାନୀ ଓ ସଂସ୍କାରି, କଳା, କାରିଗରୀ,
ସବୁ ତ ଗୁରୁଙ୍କ ଦାନ,
ଶାନ୍ତି, ମୈତ୍ରୀ,ପ୍ରେମ, ଭାବ, ଭକ୍ତି,ଦୟା,
ଜନ୍ମଗତ ଗୁଣ ନୁହଁ,
ଏ ଗୁଣ ନଥିଲେ, ମାଂସ ପିତୁଳା ଟେ,
ଧରା କୁ ଭାରା ଏ ଦେହ ।
ଗୁରୁ ହିଁ କେବଳ ଏ ଗୁଣେ ସମ୍ବଳ,
ଗୁରୁ ଭାବେ ସର୍ବେ ମଜ୍ଜି,
ଗୁରୁ ପାଦ ପଦ୍ମେ ବନ୍ଦୀ ହେ ମାଧବ,
ଶ୍ରେଷ୍ଠ ବୋଲାଉଛୁ ଆଜି ।
ଜୟ ଜଗନ୍ନାଥ ସ୍ବାମୀ