ସବୁଜ ଲାବଣ୍ୟ
ସବୁଜ ଲାବଣ୍ୟ
ଏଇ ସହକାର ତଳେ
ନମ୍ର ଘାସ ଗାଲିଚାରେ
ମୋତି ଆଭୂଷଣେ
ସବୁଜ ଲାବଣ୍ୟେ
ଭୂଷିତା କାକର ଜଳେ ।
ଦେଖି ଅପରୂପ ତା'ର
ସୌନ୍ଦର୍ଯ୍ୟ ଭରା ଶରୀର
ଶୀତଳ କିରଣ
ଜହ୍ନ ଓଜାଡ଼ିଣ
ଡାକୁଥିଲା ବାର ବାର ।
ବୁଦା ବୁଦା ରୂପା ଘାସ
କହୁଥିଲା ସତେ ବସ
ହୋଇଗଲି ମଗ୍ନ
ଭିଜିଗଲା ମନ
ଭୁଲିଗଲି ଭୋକ ଶୋଷ ।
ଘାସ ବିଛଣାରେ ଶୋଇ
ଭସା ବାଦଲକୁ ଚାହିଁ
ଭାବୁଥିଲି ରାତି
ପାହାନ୍ତାନି ଯଦି
ଦେଖୁଥାନ୍ତି ରୂପା ଛଇ ।
ସବୁଜ ଚାରୁ ସୁଷମା
କି' ଦେବି ତା'ର ଉପମା
ମନ୍ତ୍ରମୁଗ୍ଧ କଲା
ମୋ ନିଦ ଭାଙ୍ଗିଲା
ଫେରିଲି ଲଂଘି ତା' ସୀମା ।
