ସବୁଜ ବନାନୀର ନୀରବ ମୂର୍ଛନା
ସବୁଜ ବନାନୀର ନୀରବ ମୂର୍ଛନା
ଚାଲନା, ପାହାଡ ଉପରେ ଘରଟେ ତୋଳିବା
ଆମେ ଦୁହେଁ ବସିଥିବା ପାଖାପାଖି ,
ଆକାଶର ମେଘସବୁ
ଛୁଇଁବି ଛୁଇଁବି ହେଉଥିବ ଆମକୁ
ତୁମେ ଗଣୁଥିବ ତାରା ଆକାଶକୁ ଦେଖି ।
ପାହାଡି ଝରଣା ଗାଉଥିବ
ଆମ ପାଇଁ ଗୀତ,
ହଜିଯିବା ଆମେ ଦୁହେଁ
ସବୁଜିମା ମଧ୍ୟରେ
ଶାନ୍ତ, ନୀରବତା, ଶୂନ୍ ଶାନ୍
ତୁମେ ଆଉ ମୁଁ
ଖାଲି ନିସ୍ତବ୍ଧ ନିସ୍ତବ୍ଧ।
ମୁଁ କେବେ ଗୁନ୍ଥିଦେବି ମାଳତି ଫୁଲର ଗଜରା
ଭେଟିଦେବି ତୁମକୁ ସବୁଜହାର,
ତୁମେ ମୋ ପାଇଁ ଆଣିଦେବ
ସ୍ବଚ୍ଛ ଝରଣାର ପାଣି
ଭାବିବାନି କିଛି ଆମେ ଅଳିଆ ଅଡୁଆ କଥାକୁ
କରିବାନି ଜମା ବିଷୟ ବିଚାର।
ପାହାଡ ଜଳପ୍ରପାତର ଗୁମ୍ ସୁମ୍ ଶବ୍ଦରେ
ସବୁଜ ବନାନୀର ନୀରବ ମୂର୍ଛନା ,
ଝରଣାରୁ ଗୋଟାଇବା ଧଳା,ନାଲି, ନେଳି
ସବୁଜ ପଥର
ଡେଇଁବା ଝରଣା ପାଣିରେ ଲକ୍ଷ୍ୟହୀନ ଭାବେ
ଆଉ ହଜିଯିବା ସେଇ ଦିବ୍ୟତା ମଧ୍ୟରେ
ଭୁଲିଯିବା ସବୁ ଜୀବନ ଯନ୍ତ୍ରଣା ।
