ସ୍ବପ୍ନଦେଖା
ସ୍ବପ୍ନଦେଖା
ସ୍ବପ୍ନ ଗୋ ତୁମେ ଚିର ସବୁଜ
ସୁନ୍ଦରୀ ପ୍ରେମିକାଟିିଏ
ଦେଖାଅ କେବେ ମରୁଝର ତ
କେବେ ମରୀଚିକାଟିଏ ||
କେବେ ଦେଖାଅ ଆଶା ଆଲୋକ
ଶାନ୍ତ କାନ୍ତ ଜହ୍ନଟିଏ
କେବେ ଦେଖାଅ ଅମା ଅନ୍ଧାରେ
ମିଞ୍ଜିମିଞ୍ଜି ତାରାଟିଏ||
ଭଲପାଏ ଯେ ଦେଖିବାକୁ ତୁମ୍ଭେ
ରାତି ଛୋଟ ହୋଇଯାଏ
ତୁମ ରୂପର ବୈଭବ ଦେଖୁ
ଦେଖୁ ରାତି ସରିଯାଏ ||
ଯିଏ ତୁମକୁ ସାକାର କରି
ସଫଳ ହେବାକୁ ଚାହେଁ
ଅଧ୍ୟବସାୟ ନିଷ୍ଠାପରତା
ସହକାରେ କରିଥାଏ ||•
ସ୍ବପ୍ନ ସାକାର ପ୍ରଚେଷ୍ଟାରେ ତା
ଦିନବି ଛୋଟ ହୁଅଇ
ଦିନ ରାତିକୁ ଏକ କରିଣ
ଖଟିବାକୁ ହୁଏ ଭାଇ ||
ଦୃଢ ମନରେ ସ୍ବପ୍ନ ପଛରେ
ଭଲପାଇ ଯିଏ ଧାଏଁ
ସ୍ବପ୍ନ ତାହାର ପୂରା କରିବାରେ
ଦିନ ଛୋଟ ହୋଇଯାଏ||
ସ୍ବପ୍ନ ଦେଖିବା ଆରମ୍ଭ କଲେ
ରାତି ଛୋଟ ମନେ ହୁଏ
ପୂରା କରିବା ଭଲ ପାଇଲେ
ଦିନ ଛୋଟ ମନେହୁଏ ||
ସ୍ବପ୍ନ ନାୟିକା ନିଦ୍ରାରେ ଆସି
ସୁଖ ଦିଏ କ୍ଷଣ ପାଇଁ
ନିଦ ଭାଙ୍ଗିଲେ ସତ୍ତା ହରାଇ
କୁଆଡେ ଯାଏ ଉଭେଇ ||
ସଚେତନରେ ସ୍ବପ୍ନ ନାୟିକା
ନିଦକୁ ନିଏ ଚୋରାଇ
ଦିନର ଶେଷେ ରାତ୍ରୀ ଆସଇ
ରଜନୀ ବି ଯାଏ ପାହି ||
ଚକ୍ଷୁ ପଲକ ପଡେନି ଜମା
ତା ଦେହରେ ଥାଏ ମତି
ରାତି ଓ ଦିନ ପ୍ରାପ୍ତି ନିଶାରେ
ସାଧନାରେ ଯାଏ ବିତି ||
ସ୍ବପ୍ନ ନାୟିକା ହୁଏ କରାୟତ୍ତ
କଠୋର ସାଧନା ଶେଷେ
ମନ ପ୍ରାଣକୁ ଢାଳି ଦିଏ ସେ
ଲୋଟିକୋଳେ ମଧୁ ହାସେ ||
ଋଷି ବାଲ୍ମିକୀ ସ୍ବପ୍ନ ବିଳାସେ
ଦେଖିଲେ ଆଗ୍ନେୟ ଅସ୍ତ୍ର
ଆଜି ବିଜ୍ଞାନୀ ସେହି ସ୍ବପ୍ନରୁ
ଗଢେ ଅଗ୍ନି କ୍ଷେପଣାସ୍ତ୍ର ||
ସଚେତନରେ ଲଙ୍କାପତିଙ୍କ
ପୁଷ୍ପକ ବିମାନ ସ୍ବପ୍ନ
ଦେଖି ବିଜ୍ଞାନୀ ଚେଷ୍ଟା କରିଣ
ଗଢିଅଛି ବ୍ୟୋମଜାନ ||
ସ୍ବପ୍ନ ନାୟିକା ଅନିନ୍ଦ୍ୟ ରୂୂପସୀ
ସ୍ବପ୍ନ ଦେଖ ଚେଇଁକରି
ତାହାର ପଛେ ପଡି ଥାଅରେ
ଦିନ ରାତି ଏକ କରି ||
ଜ୍ଞାନ ବିଜ୍ଞାନ କ୍ଷେତ୍ରେ ନବୀନ
ରୂପସୀ ନାୟିକା ସ୍ବପ୍ନ
ଦେଖି ସକଳେ ପ୍ରଚେଷ୍ଟା ବଳେ
କର ନୂଆ ଉଦ୍ଭାବନ ||
ଲାବଣ୍ୟବତୀ ସ୍ବପ୍ନ ନାୟିକା
ପାଦରେ ପାଦ ମିଶାଇ
ରମ୍ୟ ରସରେ ଅଦମ୍ୟ ଆବେଗେ
ନାଚି ଚାଲ ଥେଇ ଥେଇ ||
ସପନ ଦିନେ ସତ୍ୟ ହୋଇବ
ସେତିକି ଭଲ ପାଇଲେ
ରଜନୀ କ୍ଷୁଦ୍ର ଦିବସ କ୍ଷୁଦ୍ର
ହେଲେ ପାଇବା ନିଶାରେ ||