ସଭ୍ୟତା
ସଭ୍ୟତା


ଯେବେ ଠାରୁ
ଭୋକର ଦାଉ ବଢିଲା
ଜ୍ୱିହା ସ୍ଵାଦ ବାରିଲା
ନିଆଁ ଦାଉ ଦାଉ ହେଇ ଜଳିଲା
ସଭ୍ୟତା ପାଦ ଥାପିଲା ।।
ଯେବେ ଠାରୁ
ପୃଥିବୀ ଅଧିକୃତ ହେଲା
ସେ ଯେବେ ନିଜକୁ ,
ନିଜର ବୋଲି ଜାଣିଲା
ମାଙ୍କଡ଼ ଟା ଧିରେ ଧୀରେ ମଣିଷ ହେଲା
ସଭ୍ୟତା ପାଦ ଥାପିଲା ।।
ଯେବେ ଠାରୁ
ତା ଓଠରେ ହସ ଉକୁଟି ଉଠିଲା
ସବୁକୁ ମୋର ମୋର କହିଲା
ପ୍ରକୃତି ଉପରେ କବଜା କଲା
ସଭ୍ୟତା ପାଦ ଥାପିଲା ।।
ଯେବେ ଠାରୁ
ମଣିଷ ମଞ୍ଜି ଚିହ୍ନିଲା
ଦିନ ରାତି ରେ ପ୍ରଭେଦ ବାରିଲା
ଦୁନିଆ ଦେଖିବା ଆରମ୍ଭ ହେଲା
ସଭ୍ୟତା ପାଦ ଥାପିଲା ।।
ଯେବେ ଠାରୁ
ସେ ଅନ୍ୟକୁ ନିଜର କଲା
ବର୍ତମାନ , ଭବିଷ୍ୟତ ରେ ଫରକ କଲା
ନିଜକୁ ଛାଡି ସେ ପଶୁ ଚିହ୍ନିଲା
ସଭ୍ୟତା ପାଦ ଥାପିଲା ।।
ଯେବେ ଠାରୁ
ତା ଆଖି ଲୁହ ଛୁଇଁଲା
ମନରେ ରାଗ ଆସିଲା
ତୋର,ମୋର ଭେଦ ଜାଣି ପାରିଲା
ସଭ୍ୟତା ପାଦ ଥାପିଲା ।।
ଯେବେ ଠାରୁ
କଞ୍ଚା,ପାଚିଲା ଚିହ୍ନି ପାରିଲା
ନଦୀ କୂଳରେ ଘର ତୋଳିଲା
ଶିକାରୀ ନ ସାଜି,
ଚାଷ ରେ ମନ ବଳାଇଲା
ସଭ୍ୟତା ପାଦ ଥାପିଲା ।।
ଯେବେ ଠାରୁ
ମଣିଷ ଗହଳି ଭଲ ଲାଗିଲା
ପ୍ରଥମ ଥର ସେ କଥା କହିଲା
ଅନ୍ୟ କଥା ଶୁଣି ଖୁସି ହୋଇଲା
ସଭ୍ୟତା ପାଦ ଥାପିଲା ।।
ଯେବେ ଠାରୁ
ନୂଆ ଅକ୍ଷର ସବୁକୁ ନିଜେ ଲେଖିଲା
ଅନ୍ୟକୁ ବି ଶିକ୍ଷା ଦେଇ ଜାଣିଲା
ପାହାଡ ଗୁମ୍ଫାରେ ଛବି ଆଙ୍କିଲା
ସଭ୍ୟତା ପାଦ ଥାପିଲା ।।
ଯେବେ ଠାରୁ
ବୁଦ୍ଧି,ବିବେକ ର ସାହାଯ୍ୟ ନେଲା
ହସ ଖୁସିରେ ଦିନ କାଟିଲା
ସବୁ ଅସମ୍ଭବ ସମ୍ଭବ କଲା
ଶ୍ରେଷ୍ଠ ଜନ୍ମ ବୋଲି ସିଦ୍ଧ କରିଲା
ସଭ୍ୟତା ପାଦ ଥାପିଲା ।।