ସାଉଁଟା ମୁହୂର୍ତ୍ତ
ସାଉଁଟା ମୁହୂର୍ତ୍ତ
ଜାଣିଛ !
ତୁମେ ଯେବେ ମୋ ସାଥିରେ ଯାଇଥାଅ କିଣିବାକୁ
ଶାଢ଼ୀଟିଏ ତୁମ ପାଇଁ କେଉଁ ଏକ ଉତ୍ସବ ଆସିଲେ
ତୁମେ ବହୁବେଳ ବଛାବଛି ପରେ
ଆଇନା ଆଗରେ ରଙ୍ଗ ସବୁ କଷାକଷି ପରେ
ମୋ ମୁଖକୁ ଚାହିଁଥାଅ ଶେଷ ପସନ୍ଦ ନିମନ୍ତେ
ଇପ୍ସିତ ଏକ ତୀର୍ଯ୍ୟକ ଦୃଷ୍ଟିରେ।
ମୁଁ କିନ୍ତୁ ୟା ଭିତରେ ଆଖି ବୁଲେଇ ସାରିଥାଏ
ଅନ୍ୟ କିଛି ଶାଢ଼ୀ ଉପରେ ଯାହା ସବୁ ମାନିବ ତୁମକୁ
ତୁମ ଉତ୍ଫୁଲିତ ଚେହେରା ଭିତରେ
ମୁଁ ପଢୁଥାଏ ତୁମ ମନ ଭିତରର ଅକୁହା ବିଶ୍ଳେଷଣକୁ
ଓ ସେଇ ସବୁ ଭିତରୁ ତୁମେ ଯେବେ ବାଛିନିଅ
ଶାଢ଼ୀଟିଏ ନିଜ ପସନ୍ଦର
ମୁଁ ତାରିଫ କରି ବସେ ତୁମ ଅନନ୍ୟ ପସନ୍ଦକୁ।
ତୁମେ ଯେବେ ଝୁମିଉଠ ପାଇଗଲା ପରେ
ତୁମ ମନଲାଖି ଶାଢ଼ୀଟିଏ ଶେଷେ
ଆଇନା ଟି କଣେଇ କଣେଇ ଚାହିଁ
ଜଳୁଥାଏ ମୋ ପ୍ରତି ଈର୍ଷାରେ
ଓ ମୁଁ ମନେମନେ ତୃପ୍ତିକର ହସଟିଏ ହସେ
ବାହାରି ଆସେ ତୁମ ହାତ ଧରି ଏକ ବିଜୟର ଅନୁଭୂତି ନେଇ
ତୁମ ଓ ମୋ ଭିତରେ ଏକ ସନ୍ତୁଳିତ ସ୍ପନ୍ଦନ ସହିତ
ଜୀବନ ଏମିତି କିଛି ସାଉଁଟା ମୁହୂର୍ତ୍ତକୁ ନେଇ ମହ ମହ ବାସେ।

