ସାତ ମାତାରୁ ଧରଣୀ ମାତା
ସାତ ମାତାରୁ ଧରଣୀ ମାତା


ଚରଣ ବନ୍ଦେ ଜନନୀ ହେ ମା ପ୍ରକୃତି ରାଣୀ
ତୋ ପାଇଁ ଗର୍ବିତ ଆଜି ଏ ମୁଢ ମନ
ତୋ କୋଳେ ପାଇ ଆଶ୍ରୟ ପ୍ରଫୁଲ୍ଲିତ ପିଣ୍ଡମୟ
ମନ ଜୁଆରେ ଉଠିଛି ତୋ ଗୁଣ ଗାନ
କ୍ଷମାଶୀଳା କରିବୁ କ୍ଷମା
ନୁହଁନ୍ତି ତୋ ସଙ୍ଗେ ସମ କମଳା ଉମା ।
ସୌନ୍ଦର୍ଯ୍ୟମୟୀ ଜଗତ ଦେଖି ମନ ପ୍ରାଣ ପୁତ
ସବୁଜ କାନନ ଦୃଶ୍ୟ ଚିତ୍ତାକର୍ଷକ
କେତେ ପରବତ ଗିରି ତୋ ଅଙ୍କ ପ୍ରଦେଶ ଧରି
ଗରବରେ ଢାଳୁଛନ୍ତି ଶୋଭା ଆଲୋକ
ନିର୍ଝରଣୀ ବହେ ହରଷେ
ନିରନ୍ତର ଗୀତ ଗାଇ ମନ ଉଲ୍ଲାସେ ।
ଉତ୍ତରରେ ହିମାଳୟ ସାଜିଛି ସୀମା ବଳୟ
ଦକ୍ଷିଣେ ଉତ୍ତାଳ ସିନ୍ଧୁ ଚୁମ୍ବେ ଚରଣ
ପୂର୍ବେ କନ୍ଦୁକ ସମାନ ତପନ ଉଦୟମାନ
ପ
ଶ୍ଚିମେ ପର୍ବତ ମାଳା ଯେହ୍ନେ ତୋରଣ
ପାଦ ଦେଶେ କନ୍ୟା କୁମାରୀ
ଭାରତ ଭାରତୀ ରୂପେ ବଢାଏ ଶିରୀ ।
ବେଦ ପୁରାଣ ବର୍ଣ୍ଣିତ ରାମାୟଣ କଥାମୃତ
ମାନବ ରୂପରେ ପ୍ରଭୁ ରଚିଲେ ଲୀଳା
ଭକ୍ତ ଭକ୍ତି ଭାବ କିଣି ରଖିଲେ କୋଦଣ୍ଡ ପାଣି
ଅଗାଧ ସାଗରେ ତରୀ ଯାତନା ଭେଳା
ପୁଣି ଜନ୍ମେ ବୀର ରମଣୀ
ସନ୍ତାନ ଉତ୍ସର୍ଗେ ରଚି କେତେ କାହାଣୀ ।
କୀଟରୁ ପତଙ୍ଗ ଯାଏ ପଡ଼ି ଥାନ୍ତି ଯାର ମୋହେ
ସେହି ଆହ୍ଲାଦ ଦାୟିନୀ ଭାରତ ମାତା
ଗରବେ ଉଚ୍ଚା ମଥାନ ଲେଖି ତା'ର ଗୁଣ ଗାନ
ଚିର ଦିନ ହେବା ଆମ୍ଭେ ଜଗତ ଜିତା
ଧନ୍ୟ ମାତା ଶସ୍ୟଶ୍ୟାମଳା
ଧରଣୀରେ ଭାସୁ ଥାଉ ବିଶ୍ଵାସ ଭେଳା ।